ଜେଲ ଭିତରେ ଅନ୍ତେବାସୀ ସୋ’ରୁମ୍ । ଅପରାଧ ହାତରୁ ଆକର୍ଷଣୀୟ ଜିନିଷ । 

321

କନକ ବ୍ୟୁରୋ: ଏହି ଅନ୍ତେବାସୀ ସୋ’ରୁମରୁ ଆପଣଙ୍କୁ ମିଳିବ ଭଳିକି ଭଳି ଘରକରଣା ଜିନିଷ । ସମ୍ପୂର୍ଣ୍ଣ ଦେଶୀ ସାମଗ୍ରୀରେ ତିଆରି ବେଡସିଟ୍, ପା’ପୋଛ, ଗାମୁଛା, ରୁମାଲ, ସୋଫାସେଟ୍ ଆଦି ସବୁିକିଛି ଜେଲ ଭିତରର ସୋ’ରୁମରୁ କିଣିପାରିବେ ଆପଣ । କାରଣ ଯେଉଁ ହାତରେ ପଡ଼ିଛି ହାତକଡ଼ି ସେ ହାତ ଆଜି ତିଆରି କରିଛି ଫୁଲ ଚାଙ୍ଗୁଡ଼ି । ଅପରାଧୀର ଟ୍ୟାଗ୍ ପାଇ ଦଣ୍ଡ ଭୋଗୁଥିବା ଅନ୍ତେବାସୀଙ୍କ ହସ୍ତଶିଳ୍ପ ପ୍ରତିଭାକୁ ଚିହ୍ନି ପାରିଛନ୍ତି ଜେଲର, ଆଉ ସେଇଥିପାଇଁ ଜେଲ୍ ଭିତରେ ସୋ’ରୁମ ଖୋଲିଦେବା ପରେ ଏହାକୁ ନେଇ ଚର୍ଚ୍ଚା ।

ବାରିପଦାର ମଣ୍ଡଳ କାରାଗାର । ନାଲି କୋଠା ପାଚେରୀ ସେପଟେ ଜୀବନ କାରାବାସ ଭୋଗୁଛି । କିନ୍ତୁ ସେ ପାପ କରିଥିବା ହାତ ହିଁ ଏତେ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ କରୁଛି, ତାହା ଆପଣ ଏହି ଜିନିଷ ସବୁକୁ ଦେଖିଲେ ହିଁ ବିଶ୍ୱାସ କରିବେ । ଏଠାକାର ଅନ୍ତେବାସୀଙ୍କ ଦ୍ୱାରା ପ୍ରତିଦିନ ଅନେକ ପ୍ରକାରର ଜିନିଷ ପ୍ରସ୍ତୁତ କରାଯାଏ । ମଣ୍ଡଳ କାରାଗାର କଏଦୀଙ୍କ ମଙ୍ଗଳ କରିବା ପାଇଁ ଜେଲର ନେଇଛନ୍ତି ନୂତନ ପଦକ୍ଷେପ । ସେଥିପାଇଁ ସୁପରିଟେଣ୍ଡେଟ୍ ନିଜେ ଏହି ଛୋଟ ଅନ୍ତେବାସୀଙ୍କ ଦେଶୀ ସୋ’ରୁମର ଉଦଘାଟନ କରିଛନ୍ତି ।

ଖାଲି ଏତିକି ନୁହେଁ, ଏହାସହ ବିଭିନ୍ନ ପ୍ରକାରର ପନି ପରିବା ମଧ୍ୟ ଜେଲ ଭିତର ବଗିଚାରେ ଲଗାଇ ଉତ୍ପାଦନ କରିଥାନ୍ତି । ଆଉ ଅନ୍ତେବାସୀଙ୍କ ହାତ ତିଆରି ଜିନିଷର ଚାହିଦା ବି ବେଶ୍ ରହିଛି । ଜେଲ୍ ପରିସରରେ ନୂଆ କରି ଖୋଲାଥିବା ଏହି ମିନି ସୋ’ରୁମ ସ୍ଥାନୀୟ ଲୋକଙ୍କ ମନ ଜିଣିପାରିଛି ।

ଅନେକ ଜେଲରେ ଜୀବନ କାଟୁଥିବା କଏଦୀଙ୍କୁ ନେଇ ଅନେକ ଖବର ଆସେ । ହେଲେ ବାରିପଦା ମଣ୍ଡଳ କାରାଗାର ଅନ୍ତେବାସୀ ମନଦୁଃଖ କି ଅବସାଦରେ ନାହାନ୍ତି  । କିଛି ନା କିଛି କାରଣରୁ ଅପରାଧୀ ବନିବା ପରେ ବି ନିଜର ପ୍ରତିଭାକୁ ପର କରିଦେଇନାହାନ୍ତି । ବରଂ ନିଜର ଭୁଲ ସୁଧାରି ସମାଜ ଆଗରେ ଜଣେ ଭଲ ମଣିଷର ପୁନର୍ଜନ୍ମ ଦେବାକୁ ପ୍ରୟାସ କରୁଛନ୍ତି । ସେଥିପାଇଁ ଏହିସବୁ ଜିନିଷକୁ ବିକ୍ରି କରିବା ପାଇଁ ତାଙ୍କୁ ସୁଯୋଗ ଦେଇଛି ଜେଲ ବିଭାଗ । ଆମେ ଆଶା କରିବା ଏହି ଜେଲ ଭିତରର ନୂଆ ସୋ’ରୁମ୍ ଖୁବ୍ ସଫଳ ହେଉ ଏବଂ ରାଜ୍ୟର ଅନେକ ଜେଲ ଏହି ବାରିପଦା ମଣ୍ଡଳ କାରାଗାରରୁ ଉଦ୍ୟମକୁ ଆପଣାଉ । ଅନ୍ତେବାସୀଙ୍କ ପାଖରେ ଥିବା ପ୍ରତିଭାକୁ ଲୋକଲୋଚନକୁ ଆଣି ଜନହିତରେ ବ୍ୟବହାର କରାଯାଉ ।