ଟିମ୍ ଇଣ୍ଡିଆ ଜର୍ସିରେ ପ୍ରଥମ ଥର ଲେଖାହେବ ପାକିସ୍ତାନ! ପାକିସ୍ତାନ ଲେଖାଥିବା ଜର୍ସି ପିନ୍ଧି ଖେଳିବ ଭାରତ । ଜାଣନ୍ତୁ, ଏହା ପଛର କାରଣ…

157

କନକ ବ୍ୟୁରୋ: ଚଳିତ ମାସ ଶେଷ ଆଡକୁ ଏସିଆ କପ୍ ଖେଳିବ ଟିମ୍ ଇଣ୍ଡିଆ । ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏଥର ହାଇବ୍ରିଡ୍ ମଡେଲରେ ଏସିଆ କପ୍ ଖେଳାଯାଉଥିବାରୁ, ଉଭୟ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଏସିଆ କପ୍ ଖେଳାଯିବ । ଆଉ ଟିମ୍ ଇଣ୍ଡିଆ ଜର୍ସିରେ ଏଥର ପ୍ରଥମ ଥର ପାଇଁ ଲେଖାଯିବ ପାକିସ୍ତାନ ।

ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ସହ ଶ୍ରୀଲଙ୍କାରେ ଖେଳାଯାଉଥିବାରୁ ଟିମ୍ ଇଣ୍ଡିଆ ଜର୍ସିରେ ପାକିସ୍ତାନର ନାମ ଲେଖାଯିବ । ତେବେ ଜାଣିରଖିବା ଉଚିତ୍ ଯେ, ଏସିଆ କପରେ ଭାରତ ସହିତ ପାକିସ୍ତାନ ଏବଂ ନେପାଳ ଗୋଟିଏ ଗ୍ରୁପରେ ଅଛନ୍ତି । ସେପ୍ଟେମ୍ବର ୨ ତାରିଖରେ ଭାରତ-ପାକିସ୍ତାନ ଭିତରେ ମହାମୁକାବିଲା ଖେଳାଯିବ ।

ଏନେଇ ବିଧିବଦ୍ଦ ଭାବେ କୌଣସି ସୂଚନା ଦିଆଯାଇନଥିବା ବେଳେ, ମିଡିଆ ରିପୋର୍ଟସ ଅନୁସାରେ ଏପରି ଦାବି କରାଯାଇଛି । ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଏକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଟିମ୍ ଇଣ୍ଡିଆ ଜର୍ସିରେ ପାକିସ୍ତାନ ଲେଖାଅଛି ।

ସୂଚନାଯୋଗ୍ୟ ଯେ, ଏସିଆ କପରେ ଆୟୋଜିତ ଦେଶର ନାଁ ପ୍ରତି ଦେଶର ଜର୍ସିରେ ଲେଖାଯାଇଥାଏ । ଶେଷ ଥର ପାଇଁ ପାକିସ୍ତାନ ୨୦୦୮ ମସିହାରେ ଏସିଆ କପ୍ ଆୟୋଜନ କରିଥିଲା । ଉକ୍ତ ବର୍ଷ ଟିମ୍ ଇଣ୍ଡିଆକୁ ୧୦୦ ରନରେ ହରେଇ ଶ୍ରୀଲଙ୍କା ଚାମ୍ପିୟନ୍ ହେଇଥିଲା ।