ଭାରତ ଯୋଡୋ ଯାତ୍ରାରେ ସୋନିଆ ସାମିଲ। ରାହୁଲଙ୍କ ସହ କର୍ଣ୍ଣାଟକରେ କଲେ ପଦଯାତ୍ରା। 

55

କନକ ବ୍ୟୁରୋ: ମିଶନ ୨୦୨୪ ପାଇଁ କଂଗ୍ରେସ ଚଳାଇଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଆଉ ରାହୁଲ ଗାନ୍ଧୀଙ୍କ ସହ କର୍ଣ୍ଣାଟକ ମାଣ୍ଡ୍ୟାରେ ପଦଯାତ୍ରା କରିଛନ୍ତି । ଭାରତ ଯୋଡୋ ଯାତ୍ରାରେ ସୋନିଆ ସାମିଲ ହେବା ପରେ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ପଦଯାତ୍ରାରେ ସୋନିଆ ସାମିଲ ହେବା କର୍ମୀଙ୍କ ମନୋବଳକୁ ଆହୁରି ବଢ଼ାଇବ ବୋଲି କହିଛନ୍ତି କଂଗ୍ରେସ ନେତା ।

ସୋନିଆ ଗାନ୍ଧୀ ପଦଯାତ୍ରା କରିବାବେଳେ କେତେକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ପଦଯାତ୍ରାବେଳେ ରାହୁଲ ଗାନ୍ଧୀ, ମାଆ ସୋନିଆଙ୍କ ଜୋତାର ଫିତା ବାନ୍ଧି ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି । ଭିଡିଓରେ ଦେଖାଯାଉଛି, ସାନିଆ ପଦଯାତ୍ରା କରିବା ସମୟରେ ହଠାତ ତାଙ୍କ ଜୋତାର ଲେସ୍ ଖୋଲିଯାଇଛି । ଏହା ଦେଖିବା ପରେ ପାଖରେ ପଦଯାତ୍ରା କରୁଥିବା ରାହୁଲ ଗାନ୍ଧୀ ତୁରନ୍ତ ମାଙ୍କ ଜୋତାର ଲେସ୍ ବାନ୍ଧିଦେଉଛନ୍ତି । ସେହି ସମୟର ଦୃଶ୍ୟକୁ କଂଗ୍ରେସ ଅଫିସିଆଲ ଟୁଇଟର ପେଜରେ ପୋଷ୍ଟ କରାଯାଇଛି ଓ ଲେଖାଯାଇଛି ମା ।

ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଭାରତ ଯୋଡ ଯାତ୍ରାରେ ପ୍ରଥମରୁ ସାମିଲ ହୋଇ ନଥିଲେ ସୋନିଆ । କିନ୍ତୁ ସୁସ୍ଥ ହେବା ପରେ, ଏହି ପଦଯାତ୍ରାରେ ସାମିଲ ହେବାକୁ ସେ ସୋମବାରଠୁ ମହୀଶୂରରେ ପହଞ୍ଚିଯାଇଥିଲେ । ଦଶହରାରେ ସ୍ଥାନୀୟ ମନ୍ଦିରରେ ପୂଜା କରିବା ପରେ ଗୁରୁବାର ପଦଯାତ୍ରାରେ ସାମିଲ ହୋଇଛନ୍ତିି । ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଆଦି ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରିଛନ୍ତି । ଏହା ଭିିତରେ ସେ ତାମିଲନାଡୁ, କେରଳ ଓ କର୍ଣ୍ଣାଟକର ପ୍ରାୟ ୭ଶହ କିଲୋମିଟର ପଦଯାତ୍ରା କରିସାରିଲେଣି । ଆଗକୁ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ଭାରତ ଯୋଡୋ ଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।