୨୦୨୪ ପାଇଁ ବିଜେଡିର ସମରସଜ୍ଜା, ଘୋଷଣା ହେଲା ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା

116

କନକ ବ୍ୟୁରୋ: ଆସନ୍ତା ୨୦୨୪ ନିର୍ବାଚନ ଉପରେ ଫୋକସ କରିଛି ବିଜୁ ଜନତା ଦଳ । ବରିଷ୍ଠ ପର୍ଯ୍ୟବେକ୍ଷକ ପରେ ଘୋଷଣା ହେଲା ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା । ୩୦ ସାଂଗଠନିକ ଜିଲ୍ଲା ପାଇଁ ୨୫ ଜଣ ନେତାଙ୍କୁ ଦାୟିତ୍ୱ ମିଳିଛି । ହେଲେ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ପଡିଛନ୍ତି ପୂର୍ବରୁ ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ମନ୍ତ୍ରୀ ସମୀର ରଂଜନ ଦାଶ । ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀ ବିବାଦ ଘେରକୁ ଆସିବା ପରେ ତାଙ୍କୁ ଦାୟିତ୍ୱ ଦିଆଯାଇନଥିବା ଚର୍ଚ୍ଚା ହେଉଛି । ଏହାରି ଭିତରେ ଅକ୍ଷୟ ନାୟକ ମନ୍ତ୍ରୀଙ୍କ ଆଡୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ଆଣିଛନ୍ତି । ଏକ ଭିଡିଓ ମାଧ୍ୟମରେ ତାଙ୍କୁ ଧମକଚମକ ଦିଆଯାଉଥିବା କହିଛନ୍ତି ଅକ୍ଷୟ ।

ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରୁ ବିଜେଡିର ହେଭିୱେଟ ନେତା ସଂଜୟ ଦାସବର୍ମାଙ୍କୁ ପୁଣି ଥରେ ନିରାଶ ହେବାକୁ ପଡିଛି । ସେହିପରି ଯୁବ ବ୍ୟାପାର ଓ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, କଟକ ମେୟର ସୁବାସ ସିଂ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ପଡିଛନ୍ତି । ପୂର୍ବରୁ ବିଜୁ ଜନତା ଦଳ ପକ୍ଷରୁ ଯୁବ, ମହିଳା ଓ ଛାତ୍ର ସଂଗଠନର ପୁର୍ନବିନ୍ୟାସ ପରେ ଏବେ ହେଭିୱେଟ ନେତାଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ଏବେ ଘୋଷଣା ହୋଇନଥିବା ନିଗମ ଲଡୁକୁ ବହୁ ଆଶାୟୀ ଚାହିଁ ରହିଛନ୍ତି ।