କାଲିମେଳାରେ ଏସଏଚଜି ମହିଳାଙ୍କ ନିଆରା ପ୍ରୟାସ । କାଜୁ ଚାରା ନର୍ସରୀ କରି ଲାଭପାଉଛନ୍ତି ମହିଳା

82

କନକ ବ୍ୟୁରୋ:  ମାଲକାନଗିରି କାଲିମେଳାରେ ରୋଜଗାର କରିବା ପାଇଁ ନୂତନ ପଦ୍ଧତି ଆପଣାଇଛନ୍ତି ମହିଳା । କାଜୁ ଚାରା ନର୍ସରୀ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ଘର କାମ ସାରି ନିର୍ଦ୍ଧିଷ୍ଟ ଏକ ସମୟରେ ନର୍ସରୀରେ ଏକାଠି ହୋଇ ଚାରା ଗଛ ଗୁଡ଼ିକର ଯତ୍ନ ନେଉଛନ୍ତି ମହିଳା । କିଏ ଚାରା ଗଛରେ ପାଣି ସିଂଚନ କରୁଛି ତ ପୁଣି କିଏ ଚାରା ଗଛ ପାଇଁ ପଲିଥିନ୍ରେ ମାଟି ଭର୍ତି କରୁଛି । ମିଶନ ଶକ୍ତି ସହଯୋଗରେ ଏମଭି-୭୩ ଗାଁର ପାଖାପାଖି ୧୦ ଜଣ ମହିଳା କାଜୁ ଚାରା ନର୍ସରୀ କରି ରୋଜଗାରକ୍ଷମ ହୋଇପାରିଛନ୍ତି । ଓଡ଼ିଶା ଜୀବିକା ମିଶନ ସହାୟତାରେ ୧ ଲକ୍ଷ ଟଙ୍କା ରୁଣ କରି ମହିଳା ମାନେ ଏପରି ନୂତନ ବ୍ୟବସାୟକୁ ଆପଣାଇଛନ୍ତି । ବାଉଁଶ ବାଡ଼ କରି ପ୍ରଥମେ ୧୪ହଜାର କାଜୁ ଚାରା ଲଗାଇଥିଲେ । ପରେ ୫ ହଜାର ଚାରା ପକାଇବା ପାଇଁ ବେଡ଼ ପ୍ରସ୍ତୁତ କରି ମଂଜି ଲଗାଇଛନ୍ତି । ଗୋଟିଏ କାଜୁ ଗଛ ପିଛା ୧୫ଟଙ୍କାରେ ବିକ୍ରି କରି ବେଶ ଦୁଇ ପଇସା ଲାଭ ପାଉଥିବା କହିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ।

ପ୍ରଥମେ କାଜୁ ମଂଜି ସଂଗ୍ରହ କରିବା ପରେ ପଲିଥିନରେ ମାଟି ଭର୍ତି କରି ସେଥିରେ କାଜୁ ମଂଜି ପୋତି ପାଣି ଦେଇଥାନ୍ତି । ୨ ରୁ ୩ ମାସ ପରେ କାଜୁ ଚାରା ପ୍ରାୟ ୬ ରୁ ୮ ଇଂଚ ବଢିଥାଏ । ଏଥିପାଇଁ ମହିଳା ମାନେ ନର୍ସରୀରେ ପାଣି ଦେବା ସହ ଘାସ ଉପୁଡ଼ାଇଥାଆନ୍ତି । ଗଛ ଗୁଡ଼ିକ ବିକ୍ରି ଉପଯୋଗୀ ହେବା ପରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାକୁ କାଜୁ ଚାରା ଯୋଗାଣ କରାଯାଇଥାଏ । ମହିଳାଙ୍କ ଏହି ନର୍ସରୀରୁ କାଜୁ ଚାରା କିଣି ଅଧିକାଂଶ ସ୍ଥାନରେ ଚାରା ଗଛ ଲଗାଇବା ଆରମ୍ଭ ହୋଇଛି । ମହିଳା ମନେ ମଧ୍ୟ ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି । କାଜୁ ଏକ ଲାଭଦାୟକ ବ୍ୟବସାୟ ହୋଇଥିବା ବେଳେ ସଚେତନତା ଅଭାବରୁ କାଲିମେଳା ଅଂଚଳରେ ଏହା ସେତେଟା ଆଦୃତି ଲାଭ କରିନାହିଁ । ଏହି ବ୍ୟବସାୟ ପ୍ରତି ଲୋକଙ୍କୁ ସଚେତନ କରିବା ସହ ଆର୍ଥିକ ଓ ବୈଷୟିକ ସୟାହତା ଯୋଗାଇଦେବାକୁ ସାଧାଣରେ ଦାବି ହୋଇଛି ।