ଅନୁଭବଙ୍କ ବିରୋଧରେ ଏତଲା ଦେଲେ ବର୍ଷା । ପଢନ୍ତୁ, ଏତଲାରେ କଣ ଲେଖିଲେ ବର୍ଷା ପ୍ରିୟଦର୍ଶିନୀ?

15,152

କନକ ବ୍ୟୁରୋ: ଅଭିନେତା ତଥା ସାଂସଦ ଅନୁଭବ ଓ ତାଙ୍କ ପତ୍ନୀଙ୍କ ଭିତରେ ବିବାଦ ଥମିବାର ନାଁ ନେଉନି । ଗତ ଦୁଇ ଦିନ ଧରି ଅନୁଭବ ତାଙ୍କ ପତ୍ନୀଙ୍କୁ ନେଇ ଅନେକ କିଛି କହିବା ସହିତ ଦୁଇଟି ଭିଡିଓ ସେୟାର କରିଥିଲେ । ଆଉ ଏହାର ଗୋଟିଏ ଦିନ ପରେ ଅନୁଭବଙ୍କ ନାଁରେ ଏତଲା ଦେଇଛନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ପୁରୀ ଘାଟ ଥାନାରେ ଅନୁଭବଙ୍କ ବିରୋଧରେ ଏହି ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଆଉ ବାରମ୍ବାର ଭିଡିଓ ଅପଲୋଡ କରି ଅଯଥାରେ ଅନୁଭବ ବିବାଦ ସୃଷ୍ଟି କରୁଥିବା କଥା କହିଛନ୍ତି ବର୍ଷା ।

ଏତଲାରେ କଣ ଲେଖିଛନ୍ତି ବର୍ଷା?

“ମୋ ସ୍ୱାମୀଙ୍କ ସହିତ କୋର୍ଟରେ ଡିଭୋର୍ସ କେସ ଚାଲୁଥିବା ସମୟରେ ୧୯ ତାରିଖ ଦିନ ସକାଳ ସମୟରେ ସୋସିଆଲ୍ ମିଡିଆ ମାଧ୍ୟମରେ ମୋ ସ୍ୱାମୀଙ୍କର ଏକ ଭିଡିଓ ଭାଇରାଲ ହେବା କଥା ମୁଁ ଜାଣିବାକୁ ପାଇଥିଲି । ଯେଉଁ ଭିଡିଓଟି ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ କରିଥିଲେ । ଏହି ଭିଡିଓରେ ସେ ମୋତେ ଭଲପାଇବା ସମ୍ପର୍କରେ ମନଗଢା କାହାଣୀ କହିଥିଲେ । ମୋତେ ଆକ୍ଷେପ କରି ଅନେକ ମିଛ କଥାମାନ କହିଥିଲେ ।”

ଖାଲି ସେତିକି ନୁହେଁ ବର୍ଷା ଆହୁରି ମଧ୍ୟ ଏତଲାରେ ଲେଖିଛନ୍ତି ଯେ, ଗତକାଲି ଅର୍ଥାତ ୨୧ ତାରିଖ ଦିନ ସନ୍ଧ୍ୟାରେ ତାଙ୍କ ସ୍ୱାମୀ ଆଉ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ତାଙ୍କ ବିରୋଧରେ ସମ୍ପୂର୍ଣ୍ଣ ମିଥ୍ୟା ଆରୋପ ଲଗାଇ, ମୋର ନାରୀତ୍ୱକୁ ଅପମାନ କରିଥିଲେ । ଆମ ଦୁହିଁଙ୍କ ଭିତରେ ଥିବା ଶାରିରୀକ ସମ୍ପର୍କର କଥାମାନ ସମ୍ପୂର୍ଣ୍ଣ ମିଥ୍ୟା ଅଭିଯୋଗ, ଆରୋପ ଲଗାଇ ସୋସିଆଲ୍ ମିଡିଆ ମାଧ୍ୟମରେ ମୋର ଚରିତ୍ର ସଂହାର କରିବାର ଷଡଯନ୍ତ୍ର କରିଛନ୍ତି ବୋଲି ବର୍ଷା ଏତଲାରେ ଲେଖିଛନ୍ତି । ତା ସହିତ ବିନା ଦୋଷରେ ମୋତେ ଦୋଷୀ ସଜାଇ, ମୋ ନାରୀତ୍ୱକୁ ଆଘାତ ଓ ଅପମାନ ଦେଇ ମୋ ବଞ୍ଚିବାର ଅଧିକାର ଅନୁଭବ ଛଡାଇ ନେଉଛନ୍ତି ବୋଲି ବର୍ଷା କହିଛନ୍ତି ।

ଅନୁଭବ ନିଜର ସୋସିଆଲ୍ ଇମେଜକୁ ସଜାଡିବାକୁ ହୀନ ଷଡଯନ୍ତ୍ର କରୁଛନ୍ତି । ଏମିତିକି ତାଙ୍କ ସମର୍ଥକଙ୍କୁ ଏକାଠି କରି ତାଙ୍କ ବିରୋଧରେ ମିଥ୍ୟା ଓ ନିମ୍ନ କଥା କହି ଉସୁକାଇ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛନ୍ତି ।

ଏତଲାରେ ବର୍ଷା କହିଛନ୍ତି, ୨୦୨୦ ମସିହାରେ ଅନୁଭବ ଯେତେବେଳେ ତାଙ୍କୁ ଡିଭୋର୍ସ ଦେବାକୁ ବାଧ୍ୟ କରିଥିଲେ, ସେତବେଳେ ସେ ରାଜି ନହେବାରୁ ସେ ତାଙ୍କୁ ଡରାଇଥିଲେ । ଯଦି ବର୍ଷା ତାଙ୍କୁ ଭଲରେ ଭଲରେ ୩ ଦିନ ଭିତରେ ଡିଭୋର୍ସ ନଦିଅନ୍ତି, ତେବେ ସେ ତାଙ୍କୁ ସମାଜରେ ବାଟ ଚଲେଇ ଦେବେନି ବୋଲି କହିଥିଲେ । ବର୍ଷା ତାଙ୍କ ଗୋଡ ହାତ ଧରିକି କାନ୍ଦିବା ସହିତ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ବର୍ଷା ତାଙ୍କ ବୈବାହିକ ସମ୍ପର୍କକୁ ଭାଙ୍ଗିବାକୁ ଚାହୁଁନଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି । ଆଉ ଶେଷରେ ଅନୁଭବଙ୍କର ଦୁଇଟି ଯାକ ଭିଡିଓକୁ ଅନୁଧ୍ୟାନ କରି ଆଇନ୍ ଅନୁସାରେ ଦୋଷୀକୁ ଉପଯୁକ୍ତ ଦଣ୍ଡବିଧାନ କରିବାକୁ ବର୍ଷା ଅନୁରୋଧ କରିଛନ୍ତି ।