ସଫଳ ଚାଷୀ ଦୋଡାଲା ଶ୍ରୀନିବାସଙ୍କ କାହାଣୀ । ଅନ୍ୟ ଚାଷୀଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।

176

କନକ ବ୍ୟୁରୋ:  ସଫଳ ଚାଷୀଙ୍କ କ୍ଷେତରେ ହସୁଛି ସୁନା ଫସଲ । ପିଜୁଳି, ଆମ୍ବ, ଲେମ୍ବୁ, ଅମୃତଭଣ୍ଡା, ସଜାନା ଗଛରେ ଭର୍ତି ହୋଇଛି ବଗିଚା । ପାଖାପାଖି ୧୦ ପ୍ରକାରର ଆମ୍ବଗଛ ଏହି ବଗିଚାରେ ଥିବାବେଳେ ଚଳିତ ବର୍ଷ ଭଲ ଅମଳ ଆଶା ରଖିଛନ୍ତି ଚାଷୀ । ୪ ଏକର ଚାଷ ଜମିରେ ଜୈବିକ ପଦ୍ଧତିରେ ଚାଷ କରି ନିଜେ ରୋଜଗାର କରିବା ସହ ୫୦ଜଣଙ୍କୁ କର୍ମନିଯୁକ୍ତି ଯୋଗାଇଛନ୍ତି ରାୟଗଡ଼ା ଆମଲାଭଟା ଗାଁର ଦୋଡାଲା ଶ୍ରୀନିବାସ । ଏହି ଚାଷ ଯୋଗୁଁ ସେ ବାର୍ଷିକ ୨ରୁ ୩ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । କେବଳ ଫଳ ଓ ପନିପରିବା ନୁହେଁ ଗୋପାଳନ ମଧ୍ୟ କରୁଛନ୍ତି ଶ୍ରୀନିବାସ । ପାଖାପାଖି ୪୦ରୁ ଅଧିକା  ଗାଇ ରଖି ସେଥିରୁ ମିଳୁଥିବା କ୍ଷୀର ବ୍ୟବସାୟ କରୁଛନ୍ତି । ଏହା ସହ ଗାଇ ଗୋବରକୁ ଖତ ଭାବେ ବ୍ୟବହାର କରି ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ଫସଲ ଅମଳ ପରେ ମାଲ ପରିବହନ ପାଇଁ ଅନ୍ୟ ଗାଡ଼ି ଉପରେ ନିର୍ଭର କରନ୍ତି ନାହିଁ ଶ୍ରୀନିବାସ । ଶଗଡ଼ ଗାଡ଼ିରେ  ବଗିଚାରୁ ଉତ୍ପାଦନ ହେଉଥିବା ଫଳ ପନିପରିବା ଲଦି ୧୨ କିଲୋମିଟର ଦୁର ରାୟଗଡ଼ା ସହରରେ ବିକ୍ରି କରନ୍ତି । ଏହା ସହିତ ଚାଷୀଙ୍କୁ ମାଗଣାରେ ଚାରା ଯୋଗାଇ ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ପ୍ରେରଣା ଦିଅନ୍ତି । ଏହାଦ୍ୱାରା ଚାଷୀଙ୍କୁ ପନିପରିବା ପାଇଁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ଚାଷୀ ଚାହିଁଲେ ଅଧିକ ରୋଜଗାର କରିପାରିବେ ବୋଲି ସେ କୁହନ୍ତି। ୪୦ ବର୍ଷ ପୁର୍ବେ ଆନ୍ଧ୍ରପ୍ରଦେଶରୁ ରାୟଗଡା ଚାଲିଆସିଥିଲେ ଶ୍ରୀନିବାସଙ୍କ ପରିବାର  । ଆମଲଭଟା ଗାଁରେ ୪ ଏକର ଜମି କିଣି ସେଥିରେ ବିଭିନ୍ନ ପ୍ରକାରର ଫସଲ କରିଛନ୍ତି । ରାୟଗଡା ଜିଲ୍ଲାର ମୃତିକା ଓ ଜଳବାୟୁ କୃଷି ଉପଯୋଗୀ ହୋଇଥିବାରୁ ପନିପରିବା ଫସଲ ଚାଷୀଙ୍କୁ ଲାଭ ଦେଉଛି । ଚାଷ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଥୀକ ସହାୟତା ପାଇବା ସହ କୃଷି ଉପକରଣ ପାଇଛନ୍ତି ମଧ୍ୟ ପାଇଛନ୍ତି ଶ୍ରନିବାସ  ।