ବାଲେଶ୍ୱର ଖଇରା ଅଞ୍ଚଳର ଏସଏଚଜି ମହିଳାଙ୍କ କୁଟୀର ଶିଳ୍ପ। ମୁଢି, ବଡ଼ି ଓ ସାନିଟାରୀ ପ୍ୟାଡ ବିକ୍ରିକରି କରୁଛନ୍ତି ରୋଜଗାର। 

104

କନକ ବ୍ୟୁରୋ: ବର୍ତମାନ ସମୟରେ ମହିଳାମାନେ କୌଣସି ଗୁଣରେ କମ୍ ନୁହନ୍ତି । ଘର କାମ ସହ ଅନ୍ୟକିଛି କାମ କରି ଆତ୍ମନିର୍ଭରଶୀଳ ହେବାରେ ସକ୍ଷମ ହୋଇପାରୁଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଟିଆଳପଦା ଗାଁରେ ମହିଳାମାନେ ଏକାଠି ହୋଇ ପ୍ରସ୍ତୁତ କରୁଛନ୍ତି ବଡ଼ି, ପାମ୍ପଡ଼, ହଳଦୀଗୁଣ୍ଡ । ମହିଳା ଉଦ୍ୟୋଗୀ ଲକ୍ଷ୍ମୀପ୍ରିୟାଙ୍କ ସହଯୋଗରେ ସ୍ୱୟଂସହାୟକ ଗୋଷ୍ଠୀ ଗଠନ କରି ମହିଳାମାନେ ରୋଜଗାକ୍ଷମ ହୋଇପାରିଛନ୍ତି । ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ସଚେତନ କରାଇବା ସହ ସାନିଟାରୀ ନାପକିନ୍ ମଧ୍ୟ ତିଆରି କରୁଛନ୍ତି । କରୋନା ମହାମାରୀ ସମୟରେ ଲୋକଙ୍କୁ ମାଗଣାରେ ମାସ୍କ ଓ ସାନିଟାରୀ ପ୍ୟାଡ଼ ବଣ୍ଟନ କରି ଚର୍ଚ୍ଚାକୁ ଆସିଥିଲେ ଲକ୍ଷ୍ମୀପ୍ରିୟା ।

ସେହିପରି ଖଇରା ବ୍ଲକ ମୁକ୍ତା ବେଗୁନିଆ ଗାଁର ଲୋପାମୁଦ୍ରା ନାୟକଙ୍କ ଉଦ୍ୟମରେ ଏସଏଚଜି ମହିଳାମାନେ ପ୍ରସ୍ତୁତ କରୁଛନ୍ତି ବଡ଼ି, ଆଚାର, ପାମ୍ପଡ଼, ଟମାଟୋ ସସ୍ ଏବଂ ଛୁତୁଆ ଭଳି ସାମଗ୍ରୀ । ମୁଢି ଭଜା ମେସିନ୍ ବସାଇ ମୁଢି ପ୍ରସ୍ତୁତ କରି ଏହାକୁ ପ୍ୟାକେଟ୍ କରି ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି । ଏହି ଗ୍ରୁପରୁ ପ୍ରସ୍ତୁତ ହେଉଥିବା ସାମଗ୍ରୀର ଚାହିଦା ସ୍ଥାନୀୟ ବଜାରରେ ରହିଛି । ମହିଳାମାନେ ବିଭିନ୍ନ ପ୍ରକାରର ଛତୁଆ ଓ ମସଲା ପ୍ରସ୍ତୁତ କରି ଏହାକୁ ସ୍ଥାନୀୟ ବଜାରରେ ବିକ୍ରି କରି ରୋଜଗାରକ୍ଷମ ହୋଇପାରିଛନ୍ତି । ଯାହା ଗ୍ରାମାଞ୍ଚଳର ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛି ।