ଶଙ୍କରାଚାର୍ଯ୍ୟଙ୍କ ଶରଣ ପଶିଛନ୍ତି ସେବାୟତ : ଜଗତଗୁରୁ କହିଲେ, ବଂଶାନୁକ୍ରମିକ ସେବା ଉଚ୍ଛେଦ ଠିକ ନୁହେଁ

42

କନକ ବ୍ୟୁରୋ : ଶଙ୍କରାଚାର୍ଯ୍ୟଙ୍କ ଶରଣ ପଶିଛନ୍ତି ସେବାୟତ । ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଆଦେଶ ପ୍ରସଙ୍ଗକୁ ନେଇ ପୁରୀ ଗୋବର୍ଦ୍ଧନ ପୀଠରେ ହୋଇଛି ବୈଠକ । ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ପୁରୀ ଗଜପତି ଓ ସେବାୟତ ନିଯୋଗର ପ୍ରତିନିଧି ଯୋଗଦେଇଥିଲେ । ବୈଠକରେ ଜଗଦଗୁରୁ ସେବାୟତ ଓ ଗଜପତିଙ୍କ ବିଷୟ ଉପରେ ଆଲୋକପାତ କରିଥିଲେ । ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଆଦେଶ ଗ୍ରହଣାୟ ନୁହେଁ । ଅଣହିନ୍ଦୁ ପ୍ରସଙ୍ଗକୁ ନେଇ ଥିବା ପ୍ରସ୍ତାବ ମାନିବା ଯୋଗ୍ୟ ନୁହେଁ ।

ଏଠାରେ ବଂଶ ପରମ୍ପରା ଯୋଗୁଁ ବଂଚି ରହିଛି ଶ୍ରୀମନ୍ଦିରର ସେବା ପୂଜା ଓ ନୀତି କାନ୍ତି । ତେଣୁ ବଂଶ ପରମ୍ପରା ଉଚ୍ଛେଦ ନ ହେଉ ବୋଲି କହିଛନ୍ତି ଜଗଦଗୁରୁ । କାରଣ ବଂଶାନୁକ୍ରମିକ ସେବା ଯୋଗୁଁ କେବଳ ଶ୍ରୀମନ୍ଦିରର ସେବା ପୂଜା ହୋଇପାରିବ । ସେବାୟତଙ୍କୁ ବଦନାମ କଲେ ଶାସନତନ୍ତ୍ର ଶୋଷିତ ହେବ । ଶ୍ରୀମନ୍ଦିର ମୁକ୍ତିମଣ୍ଡପ ସଂସ୍କାର ପାଇଁ ସବୁବେଳେ ସହଯୋଗ ରହିବ ବୋଲି କହିଛନ୍ତି ଜଗଦଗୁରୁ । ସେପଟେ ଖୁବଶୀଘ୍ର ସେବାୟତଙ୍କ ପକ୍ଷରୁ ଆଇନଗତ ତର୍ଜମା ପାଇଁ ଏକ କମିଟି ଗଠନ କରାଯିବ । ୧୫ ଦିନ ଭିତରେ କମିଟି ତାର କାମ ଆରମ୍ଭ କରିବେ ।