ଜନସମ୍ପର୍କ ଯାତ୍ରାରେ ସଞ୍ଜୟ ଦାସବର୍ମାଙ୍କ ବିସ୍ଫୋରକ ବୟାନ। କହିଲେ, ଚାଲିଛି ଷଡ଼ଯନ୍ତ୍ର, କିଛି ଲୋକ ଭାବୁଛନ୍ତି ଯାହା ନିଷ୍ପତି ନେବେ, ସମସ୍ତେ ମାନିବେ।

283

କନକ ବ୍ୟୁରୋ: ଶାସକ ବିଜେଡି ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କ ବିସ୍ଫୋରକ ବୟାନ । କେବଳ ଏହା ଓଡ଼ିଶା ରାଜନୀତିକୁ ଦୋହଲାଇ ଦେଇଛି ତାହା ନୁହେଁ ବରଂ ଛିଡ଼ା କରିଛି ପ୍ରଶ୍ନର ପାହାଡ଼ ।

କିଏ କରୁଛି ଷଡ଼ଯନ୍ତ୍ର?
କାହା ଉଦ୍ଦେଶ୍ୟରେ ସଞ୍ଜୟଙ୍କ ଏହି ବୟାନ?
ନା’ ନନେଇ କାହାକୁ ଟାର୍ଗେଟ୍ କଲେ ସଞ୍ଜୟ ?
ସଞ୍ଜୟ-ବିଜେଡି ବଢ଼ୁଛି କି ଦୂରତା ?

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସଞ୍ଜୟ ଦାସ ବର୍ମାଙ୍କ ଏଭଳି ବୟାନ୍, ଠିକ୍ ସେତେବେଳେ ଆସିଛି ଯେତେବେଳେ ରାଜନୀତିର ମାହୋଲ ସରଗରମ ରହିଛି । ସଞ୍ଜୟ କହିଛନ୍ତି- ଏହି ଷଡ଼ଯନ୍ତ୍ର ଭୁବନେଶ୍ୱରରୁ ଆରମ୍ଭ ହୋଇ ପୁରୀ ଯାଏଁ ପହଞ୍ଚିଯାଇଛି । କିଛି ଲୋକ ଭାବୁଛନ୍ତି ଆମେ ଯାହା ନିଷ୍ପତି ନେବୁ, ତାହା ସମସ୍ତେ ଗ୍ରହଣ କରିନେବେ । ଆମେ ମରିଯିବୁ ସିନା, ବ୍ରହ୍ମଗିରିକୁ ଭସାଇ ଦେବୁ ନାହିଁ ବୋଲି ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି ସଞ୍ଜୟ ।

ତେବେ କିଏ ଏହି ନିଷ୍ପତି ନେଉଛନ୍ତି ଏବଂ କାହାକୁ ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି, ସେ ନେଇ କୌଣସି ସୂଚନା ଦେଇନାହାନ୍ତି । ପୁରୀ ଜିଲ୍ଲାରେ ବିଜେଡିର ଜନସମ୍ପର୍କରେ ଯାତ୍ରାକୁ ସମ୍ବୋଧନ କରି ସଞ୍ଜୟ ଆହୁରି କହିଛନ୍ତି- କିଛି ବିଦେଶୀ ଶକ୍ତି, ଓଡ଼ିଶାର ଖଣିଜ ସମ୍ପଦ ଓ ଓଡ଼ିଶାର ରତ୍ନଭଣ୍ଡାରକୁ ଲୁଣ୍ଠନ କରି ପଳେଇବାକୁ ଉଦ୍ୟମ କରୁଛନ୍ତି ।

ଏକଦା ବିଜେଡିର ପାୱାରଫୁଲ ନେତା ଥିବା ସଞ୍ଜୟ ଦାସବର୍ମା ହୁଏତ ଏକପ୍ରକାର କୋଣଠେସା ହୋଇଯାଇଛନ୍ତି । ଦିନେ ଦୁଇ ଦୁଇଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଥିବା ସଞ୍ଜୟଙ୍କ ହାତରୁ ପର୍ଯ୍ୟବେକ୍ଷକ ପଦ ହଟାଇ ନିଆଯାଇଥିଲା । କେବଳ ସେତିକି ନୁହେଁ ଛାତ୍ର ଓ ଯୁବ ରାଜନୀତିରେ ସକ୍ରିୟ ଭୂମିକା ନେଉଥିବା ସଞ୍ଜୟଙ୍କୁ ଏଥିରୁ ବି ଧୀରେ ଧୀରେ ଆଉଟ୍ କରିଦିଆଯାଇଛି । ନିର୍ବାଚନ ହାରିବା ପରେ ସନ୍ତୁଷ୍ଟ କରିବା ପାଇଁ ତାଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ ପଦ ଦିଆଯାଇଥିଲା, ସତ ହେଲେ ମମ୍ପ୍ରସାରଣ ସମୟରେ ଉପାଧ୍ୟକ୍ଷ ପଦରୁ ବି ସଞ୍ଜୟ ଦାସଙ୍କୁ ହଟାଇ ଦିଆଯାଇଥିଲା । ତେବେ ଏହି ସବୁ ପଛରେ କିଛି ଷଡ଼ଯନ୍ତ୍ର ଥିଲା କି? ଯେଉଁ ଷଡ଼ଯନ୍ତ୍ର କଥା ଏବେ କହୁଛନ୍ତି ସଞ୍ଜୟଦାସବର୍ମା । ବଡ଼ କଥା ହେଉଛି, ସଂଜୟ ଦାସବର୍ମାଙ୍କ ଏହି ବୟାନର ପ୍ରଭାବ ଦଳ ଉପରେ କ’ଣ ପଡ଼ୁଛି ଏବଂ ପଦ୍ମପୁର ଉପ-ନିର୍ବାଚନ ଉପରେ କ’ଣ ପଡୁଛି ତାହା ଦେଖିବାକୁ ଅପେକ୍ଷା ରହିଛି ।