ପଦ୍ମପୁରରୁ ଦିଲ୍ଲୀ, ଫସଲ ବୀମାକୁ ନେଇ ରାଜନୀତି। ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ପରେ କେନ୍ଦ୍ର କୃଷିମନ୍ତ୍ରୀ ବୀମା ଟଙ୍କା ପାଇଁ କଲେ ଟୁଇଟ।

172

କନକ ବ୍ୟୁରୋ: ଚାଷୀଙ୍କ ପାଇଁ ଭଣ୍ଡାର ଖୋଲିଲେ ନବୀନ । ମରୁଡି ପ୍ରଭାବିତ ଚାଷୀଙ୍କୁ ମିଳିବ ୨୦୦ କୋଟି ଟଙ୍କା ।ଫସଲ ବୀମାକୁ ନେଇ ରାଜନୀତି ଜୋର ଧରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତିି । ମରୁଡି ପ୍ରଭାବିତ ଚାଷୀଙ୍କୁ ମିଳିବ ୨୦୦ କୋଟି ଟଙ୍କା କ୍ଷତିପୂରଣ । ଏହି ଟଙ୍କା ରାଜ୍ୟ ସରକାରଙ୍କ ପାଣ୍ଠିରୁ ଖର୍ଚ୍ଚ ହେବ । ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ..

– ବର୍ଷା ଅଭାବରୁ ରାଜ୍ୟର ୧୨ଟି ଜିଲ୍ଲାର ୬୪ଟି ବ୍ଲକ ଏବଂ ୧୫ଟି ପୌରାଞ୍ଚଳରେ ମରୁଡି ହୋଇଥିଲା
– ପ୍ରାୟ ୨ଲକ୍ଷ ୬୩ ହଜାର ୫୬୦ ହେକ୍ଟର ଚାଷଜମିରେ ୩୩ ପ୍ରତିଶତ ବା ତାଠାରୁ ଅଧିକ ଫସଲହାନି ହୋଇଛି

କିନ୍ତୁ ଏପର୍ଯ୍ୟନ୍ତ ମରୁଡି ପ୍ରପିଡିତ ଅଞ୍ଚଳର ବହୁ ସଂଖ୍ୟକ ଚାଷୀ ଫସଲ ବୀମା ପାଇନାହାନ୍ତି । ଏ ସମ୍ପର୍କରେ ରାଜ୍ୟ ସରକାର କ୍ରମାଗତ ଭାବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ ପରିସ୍ଥିତିର ଗମ୍ଭୀରତା ଏବଂ ମରୁଡି ପିଡୀତ କୃଷକଙ୍କ ଦାବି ଏବଂ ଜିଲ୍ଲାପାଳମାନେ ଦେଇଥିବା ରିପୋର୍ଟକୁ ବିଚାରକୁ ନେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ ସବସିଡି ଦେବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଛନ୍ତି ।

ବୀମାରାଶିକୁ ନେଇ ବିଜେଡି-ବିଜେପି ଦୋଷ ଲଦାଲଦି ଭିତରେ, ରାଜ୍ୟ ସରକାରଙ୍କ କୋର୍ଟକୁ ବଲ ଫିଙ୍ଗିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଏହି ପ୍ରସଙ୍ଗରେ ଟୁଇଟ୍ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମାରାଶି ପ୍ରଦାନ କରିବାକୁ ବୀମା କମ୍ପାନୀ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ।

ଟୁଇଟ୍ କରି ତୋମାର ଲେଖିଛନ୍ତି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଓଡିଶାର ବରଗଡ ଜିଲ୍ଲାର ପାଇକମାଳ , ଝାରବନ୍ଧ, ପଦ୍ମପୁର ବ୍ଲକରେ ଯୋଗାଇ ଦିଆଯିବାକୁ ଥିବା ବୀମା ସହାୟତା ବିଷୟରେ ଆଲୋଚନା ହୋଇଛି । ଭାରତ ସରକାରଙ୍କ ଦ୍ୱାରା ଗଠିତ ବୈଷୟିକ ପରାମର୍ଶଦାତା କମିଟି ଦ୍ୱାରା ଏନେଇ ନିର୍ଣ୍ଣୟ ନିଆଯାଇଛି । ବୀମା କମ୍ପାନୀ ଓ ରାଜ୍ୟ ସରକାରଙ୍କୁ ତୁରନ୍ତ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୃଷକଙ୍କ ବୀମା କ୍ଲେମକୁ ଶୀଘ୍ର ପ୍ରଦାନ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ।

କେନ୍ଦ୍ର କୃଷିମନ୍ତ୍ରୀ ଟୁଇଟ୍ କରିବା ପରେ ଜବାବ ରଖିଛି ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ବୀମା ଟଙ୍କା କେନ୍ଦ୍ର ସରକାର ଓ ବୀମା କମ୍ପାନୀ ଦ୍ୱାରା ଦିଆଯାଉଛି । ଏଥିରେ ରାଜ୍ୟ ସରକାରଙ୍କ ଭୂମିକା ନାହିଁ । କେନ୍ଦ୍ର ସରକାର ପୂର୍ବରୁ ନିଷ୍ପତି ନେଇଥିଲେ ଏଭଳି ସମସ୍ୟା ଉପୁଜି ନଥାନ୍ତା । ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନକୁ ନେଇ ବିଜେଡି ବିଜେପି ନେତାଙ୍କ ଭିତରେ ଜାରି ରହିଛି ବୟାନବାଜି । ପଦ୍ମପୁର ଉପଖଣ୍ଡରେ ପାଖାପାଖି ୮୦ ପ୍ରତିଶତ ଚାଷୀ ରହିଛନ୍ତି । ଉପନିର୍ବାଚନ ବିଜୟରେ ଏମାନଙ୍କ ଭୋଟ୍ ନିର୍ଣ୍ଣାୟକ ହୋଇପାରେ । ତେଣୁ ସବୁଦଳର ଫୋକସ ଏବେ ଚାଷୀଙ୍କ ଉପରେ କେନ୍ଦ୍ରୀଭୂତ ହୋଇଛି ।