ମାହାଙ୍ଗା ଡବଲ ମର୍ଡର ଘଟଣାରେ କୋର୍ଟଙ୍କ ଶୁଣାଣି ଶେଷ । ରାୟ ସଂରକ୍ଷିତ ରଖିଲେ ସାଲେପୁର ଜେଏମଏଫସି କୋର୍ଟ

193

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଶେଷ ହୋଇଛି କୋର୍ଟଙ୍କ ଶୁଣାଣି । ଶୁକ୍ରବାର ସାଲେପୁର ଜେଏମଏଫସି କୋର୍ଟ ଏହି ଘଟଣାରେ ଶୁଣାଣି ଶେଷ କରିବା ସହିତ ରାୟକୁ ସଂରକ୍ଷିତ ରଖିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଜି ମଧ୍ୟ କୋର୍ଟରେ ସିଡିଆର୍ ରିପୋର୍ଟ ଦାଖଲ କରିପାରିନି ପୋଲିସ । ଏହି ମାମଲାରେ ଅଭିଯୁକ୍ତଙ୍କ ସିଡିଆର୍ ରିପୋର୍ଟ ଦାଖଲ ପାଇଁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଘଟଣାର ତଦନ୍ତକାରୀ ଅଫିସର କୋର୍ଟରେ ହାଜର ରହିବାକୁ ମଧ୍ୟ ନିର୍ଦ୍ଦେଶ ଥିଲା । ହେଲେ ନିର୍ଦ୍ଦେଶ ପରେ ବି କୋର୍ଟରେ ହାଜର ହୋଇନଥିଲେ ତଦନ୍ତକାରୀ ଅଧିକାରୀ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାରର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସଂପର୍କୀୟ ଦିବ୍ୟ ସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ କରାଯାଇଥିବାବେଳେ, ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ଏପରିକି ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ମାମଲା ହୋଇଥିଲା । ତେବେ ପୁଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିବା ନେଇ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ କରିଥିଲେ।

ଅଗଷ୍ଟ ୨୫ରେ ଏହାର ଶୁଣାଣି କରି କୋର୍ଟ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମାହାଙ୍ଗା ଥାନାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହା ମଧ୍ୟରେ ତିନି ମାସ ବିତି ଯାଇଥିବା ବେଳେ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇନଥିବାରୁ କୋର୍ଟ ଥାନା ଅଧିକାରୀଙ୍କୁ ଭର୍ତ୍ସନା କରିବା ସହ କ୍ଷୁବ୍ଧ ହୋଇଥିଲେ। ନଭେମ୍ବର ୨୦ରେ ଏହାର ଶୁଣାଣି କରି ତୁରନ୍ତ ଚାର୍ଜସିଟ୍ ଓ ସିଡିଆର୍ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମଏଫସି କୋର୍ଟ। ଅନ୍ୟପଟେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳ ଧରା ପଡ଼ିନଥିବା ବେଳେ ତାଙ୍କର ଏକ ଟ୍ରକ ଦୁର୍ଘଟଣାରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ତେବେ ଏଥିରେ ମଧ୍ୟ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିବା ବେଳେ କୋର୍ଟ ମୃତ ପ୍ରଫୁଲ୍ଲ ଓ ମନ୍ତ୍ରୀଙ୍କ ପିଏ ବାପି ବିଶ୍ୱାଳଙ୍କ ସିଡିଆର ରିପୋର୍ଟ ଦାଖଲ କରିବାକୁ ମାହାଙ୍ଗା ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଶେଷରେ ଆଜି କୋର୍ଟ ଏହି ମାମଲାର ଶୁଣାଣି ଶେଷ କରିଥିବାବେଳେ ରାୟକୁ ସଂରକ୍ଷିତ ରଖିଛନ୍ତି ।