ଓମିକ୍ରନକୁ ନେଇ ଆସିଲା ବଡ ସୂଚନା । ଡେଲଟା, ବିଟା ଠାରୁ ଓମିକ୍ରନର ୩ ଗୁଣ ଅଧିକ ସଂକ୍ରମଣ କ୍ଷମତା!

181

କନକ ବ୍ୟୁରୋ: ଭାରତରେ ଚିହ୍ନଟ ହୋଇଥିବା ଓମିକ୍ରନକୁ ନେଇ ଆଶଙ୍କା ଅଧିକ ବଢିଲାଣି । ଏହାରି ଭିତରେ ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ଭୂତାଣୁକୁ ନେଇ ଆସିଛି ବଡ ଖବର । ବିଶେଷଜ୍ଞଙ୍କ ସୂଚନା, ଡେଲଟା ଏବଂ ବିଟା ପ୍ରଜାତିର ଭୂତାଣୁ ଠାରୁ ଏହି ଓମିକ୍ରନ ଭୂତାଣୁ ୩ ଗୁଣ ଅଧିକ ଦ୍ରୁତ ବେଗରେ ସଂକ୍ରମିତ ହେଉଛି । ଏହା କେତେ ମାରାତ୍ମକ ସ୍ପଷ୍ଟ ଚିତ୍ର ଆସିନି, କିନ୍ତୁ ସଂକ୍ରମଣ ଅଧିକ ଦ୍ରୁତ ନେଇ ସୂଚନା ମିଳିବା, ଚିନ୍ତାଜନକ ବୋଲି କୁହାଯାଉଛି ।

ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ପ୍ରଜାତି, ଓମିକ୍ରନକୁ ନେଇ ପୁରା ବିଶ୍ୱରେ ଚିନ୍ତା ଦେଖା ଦେଲାଣି । ଦକ୍ଷିଣଆଫ୍ରିକାରେ ଏହି ନୂଆ ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ ପରଠାରୁ ଏହାକୁ ନେଇ ଅନୁସନ୍ଧାନ ଜାରି ରହିଛି । ଏହି ନୂଆ ପ୍ରଜାତିର କରୋନା ଭୂତାଣୁକୁ ନେଇ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକ ନୂଆ ତଥ୍ୟ ସାମ୍ନାକୁ ଆଣିବାରେ ସଫଳ ହୋଇଛନ୍ତି । ଦକ୍ଷିଣଆଫ୍ରିକାର ବୈଜ୍ଞାନିକ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛନ୍ତି ଏହି ନୂଆ ପ୍ରଜାତିର କରୋନା ଭୂତାଣୁ , ଓମିକ୍ରନର ସଂକ୍ରମଣ ବେଗ ଅଧିକ ଦ୍ରୁତ । ‘ଡେଲଟା’ ଓ ‘ବିଟା’ ଭ୍ୟାରିଆଣ୍ଟ ଠାରୁ ଏହା ୩ ଗୁଣ ଅଧିକ ଦ୍ରୁତ ଗତିରେ ବ୍ୟାପୁଛି । ଦକ୍ଷିଣ ଆଫ୍ରିକାର ଗବେଷଣା ପରେ ଏହି ନୂଆ ତଥ୍ୟ ସାମ୍ନାକୁ ଆସିଛି ।

  • ଚିନ୍ତା ବଢାଉଛି ନୂଆ ପ୍ରଜାତିର କରୋନା ଓମିକ୍ରନ
  • ନଭେମ୍ୱର ୨୪ରେ ପ୍ରଥମେ ଦକ୍ଷିଣଆଫ୍ରିକାରୁ ଚିହ୍ନଟ ହୋଇଥିଲା

ବର୍ତମାନ ଏହି ନୂଆ ପ୍ରଜାତିର ଭୂତାଣୁକୁ ନେଇ ବୈଜ୍ଞାନିକ ଅନୁସନ୍ଧାନ ଆରମ୍ଭ କରିଦେଲେଣି । ଦକ୍ଷିଣଆଫ୍ରିକାରେ ଏହି ଓମିକ୍ରନକୁ ନେଇ ଦକ୍ଷିଣ ଆଫ୍ରିକା ସ୍ୱାସ୍ଥ୍ୟ ବିଭାଗ ସଂଗ୍ରହ କରିଥିବା ତଥ୍ୟ ଆଧାରରେ ପ୍ରଥମ ମହାମାରୀ ସଂପର୍କିତ ପ୍ରମାଣ ସାମ୍ନାକୁ ଆସିଛି । ଆଗରୁ କୌଣସି ସଂକ୍ରମଣ ପରେ ସୃଷ୍ଟି ହୋଇଥିବା ପ୍ରତିରୋଧକ ଶକ୍ତିକୁ ଏହା ଭେଦ କରିବାରେ ସଫଳ ବୋଲି କହିଛନ୍ତି ବୈଜ୍ଞାନିକ ।

୨.୮ ମିଲିୟନ ବ୍ୟକ୍ତିଙ୍କ ପରୀକ୍ଷା ହୋଇଥିଲା ନମୂନା । ୩୫,୬୭୦ ଜଣଙ୍କ ଠାରେ ମିଳିଛି ଓମିକ୍ରନ । ନୂଆ ପ୍ରଜାତିର କରୋନାକୁ ନେଇ ଦକ୍ଷିଣଆଫ୍ରିକାର ମହାମାରୀ ଅନୁସନ୍ଧାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଜୁଲିଏଟ ପୁଲିଆମ୍ କହିଛନ୍ତି, ବର୍ତମାନ ଏହି ନୂଆ ପ୍ରଜାତିର ଭାରିଆଣ୍ଟ , ଟିକା ନେଇ ସାରିଥିବା ବ୍ୟକ୍ତିଙ୍କ ଉପରେ କେଉଁ ପ୍ରଭାବ ପକାଉଛି ତାହାକୁ ନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ବର୍ତମାନ କେତେ ତୀବ୍ର ବେଗରେ ଓମିକ୍ରନ ସଂକ୍ରମିତ ହେଉଛି, ଏହାବାଦ୍ ଯେଉଁ ଲୋକମାନଙ୍କର ଆଗରୁ ସଂକ୍ରମଣ ରହିଥିଲା, ସେମାନେ ସଂକ୍ରମଣର ଶିକାର ହୋଇଛନ୍ତି, ତାହା ନେଇ ମଧ୍ୟ ଅନୁସନ୍ଧାନର ଆବଶ୍ୟକତା ରହିଛି । କିଛି ଦିନ ପୂର୍ବରୁ ଦକ୍ଷିଣଆଫ୍ରିକାର ଆନି ଭନ୍ ଗୋଟବର୍ଗ ଆକଳନ କରିଥିଲେ, ଓମିକ୍ରନ୍ ଜଟିଳ ସ୍ଥିତି ସୃଷ୍ଟି କଲେ ଟିକାକରଣ ଏହା ଉପରେ ପ୍ରଭାବୀ ହୋଇପାରିବ । ଟିକା ନେଇଥିବା ବ୍ୟକ୍ତିଙ୍କୁ ସଂକ୍ରମିତ କରିବା, ଗୁରୁତର ସ୍ଥିତି ସୃଷ୍ଟି କରିବା ଆଦିରୁ ରକ୍ଷାମିଳିବ ବୋଲି ସେ ଆଗୁଆ ଆକଳନ କରିଥିଲେ ।

  • କେତେ ମାରାତ୍ମକ ‘ଓମିକ୍ରନ’ ଭୂତାଣୁ ?
  • ବୈଜ୍ଞାନିକଙ୍କ ଜାରି ରହିଛି ଅନୁସନ୍ଧାନ

କେତେ ମାରାତ୍ମକ ଏହି ଓମିକ୍ରନ୍ ତାହା ଏବେ ବି ଅସ୍ପଷ୍ଟ । ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟ ବ୍ୟବସ୍ଥାର ସ୍ଥିତିକୁ ନେଇ ସଂଗ୍ରହ କରାଯାଇଥିବା ପ୍ରାଥମିକ ତଥ୍ୟକୁ ଆଧାର କରି ଦକ୍ଷିଣ ଆଫ୍ରିକା ବୈଜ୍ଞାନିକ ଏହି ଆକଳନ କରିଛନ୍ତି । ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ନଭେମ୍ବର ୨୭ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୩୫ ହଜାର ୬୭୦ ଜଣ ପୁଣି ସଂକ୍ରମିତ ହୋଇଛନ୍ତି । ତେବେ ପୁନଃ ସଂକ୍ରମିତ ହୋଇଥିବା ସମସ୍ତେ ୯୦ ଦିନ ପୂର୍ବରୁ ପ୍ରଥମେ ସଂକ୍ରମିତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଡେଲଟା ପ୍ରଜାତି ଦ୍ୱାରା ସଂକ୍ରମିତ ହୋଇଥିଲେ । ତେବେ ଯେଉଁମାନେ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ, ସେମାନଙ୍କ ନିକଟରେ ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତି ନୂଆ ପ୍ରଜାତି ବିରୋଧରେ ଲଢ଼ିବାରେ ଅଳ୍ପ କିଛି ସକ୍ଷମ ହେଉଛି ଏବଂ ପୁନଃସଂକ୍ରମିତଙ୍କୁ ମଧ୍ୟରୁ କେତେ ଜଣ ଟିକା ନେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତେଣୁ ଟିକା ଦ୍ୱାର ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ ଓମିକ୍ରନ ପ୍ରଜାତି ଭେଦ କରି ପାରୁଛି କି ନାହିଁ ତାହା ସ୍ପଷ୍ଟ ଭାବେ କୁହା ଯାଇପାରିନାହିଁ । ଏହା ଉପରେ ଅଧିକ ଅଧ୍ୟୟନ ଜାରି ରହିଛି ।

ନଭେମ୍ୱର ମଧ୍ୟ ଭାଗରେ ଦକ୍ଷିଣ ଆଫ୍ରିକାରେ ଦୈନିକ ୩୦୦ ପଜିଟିଭ୍ ଚିହ୍ନଟ ହେଉଥିଲେ । ଡିସେମ୍ୱର ୧ ତାରିଖକୁ ଦୈନିକ ଆକ୍ରାନ୍ତ ସଂଖ୍ୟା ୮ ହଜାର ୫୬୧କୁ ବଢିଗଲାଣି । ଏହା ହିଁ ସ୍ପଷ୍ଟ କରୁଛି , ଓମିକ୍ରନର ଏପିସେଣ୍ଟର ବନିଥିବା ଦକ୍ଷିଣଆଫ୍ରିକାରେ କେତେ ଦ୍ରୁତ ଭାବରେ ସଂକ୍ରମିତ ହେଉଛି ଏହି ମାରାତ୍ମକ ଭୂତାଣୁ ।