ଆଜି ଆଉ ଏକ ରେକର୍ଡ କରିପାରନ୍ତି ରୋହିତ ! ଗେଲଙ୍କ ଛକା କୀର୍ତ୍ତିମାନ ଭାଙ୍ଗିବେ ‘ହିଟମ୍ୟାନ୍’ ।

496

କନକ ବ୍ୟୁରୋ : ଗେଲଙ୍କ ରେକର୍ଡ ଭାଙ୍ଗିବେ ଟିମ୍ ଇଣ୍ଡିଆର ଉପଅଧିନାୟକ ରୋହିତ ଶର୍ମା । ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚରେ ସର୍ବାଧିକ ଛକା ମାରିବାର କୀର୍ତ୍ତିମାନ ୱେଷ୍ଟଇଣ୍ଡିଜ୍ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କ ନାମରେ ରହିଛି । ଗେଲ୍ ଏହି ଫର୍ମାଟରେ ୧୦୫ ଆନ୍ତର୍ଜାତିକ ଛକା ମାରି ସାରିଛନ୍ତି । ସର୍ବାଧିକ ଛକା ମାରିବାରେ ତାଙ୍କ ପଛକୁ ନ୍ୟୁଜିଲାଣ୍ଡର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାର୍ଟିନ୍ ଗପ୍ଟିଲ (୧୦୩) ଦ୍ବିତୀୟରେ ଏବଂ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (୧୦୨) ତୃତୀୟରେ ରହିଛନ୍ତି ।

ଅପରପକ୍ଷରେ ଦୁର୍ଭାଗ୍ୟବଶତଃ ଗେଲ୍ ଭାରତ ବିପକ୍ଷ ଏହି ଶୃଙ୍ଖଳା ଖେଳୁନାହାନ୍ତି । ଫଳରେ ଗେଲଙ୍କ କୀର୍ତ୍ତିକୁ ଭାଙ୍ଗିବା ପାଇଁ ରୋହିତଙ୍କ ପାଖରେ ବଡ଼ ସୁଯୋଗ ରହିଛି । ଆଉ ୪ ଛକା ମାରିପାରିଲେ ଗେଲଙ୍କ କୀର୍ତ୍ତିକୁ ରୋହିତ ଟପିଯିବେ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତିନି ମ୍ୟାଚ୍ ଖେଳିବାକୁ ଥିବାରୁ ରୋହିତ ସର୍ବାଧିକ ଛକା କୀର୍ତ୍ତିମାନ ନିଜ ନାମକୁ ନେଇଯାଇପାରିବାର ପର‌୍ୟ୍ୟାପ୍ତ ସୁଯୋଗ ରହିଛି ।

ଅଧୁରା ବିଶ୍ୱକପ୍ ଅଭିଯାନ ପରେ ଆସନ୍ତା ବର୍ଷର ଟ୍ୱେଂଟି-୨୦ ବିଶ୍ୱକପ୍ ନଜରରେ ରଖିଛି ଭାରତ । ଆଜିଠାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ମ୍ୟାଚ ଶୃଙ୍ଖଳା ଖେଳି ଏହି ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ଯୋଜନା କରିଛି ବିରାଟ ବ୍ରିଗେଡ୍ । ତେବେ ଏହି ମ୍ୟାଚରେ ସମସ୍ତଙ୍କ ନଜର ରହିଛି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ଉପରେ । କାରଣ ବିଶ୍ୱକପରେ ରୋହିତ ୫ଟି ଶତକ ମାରିବା ସହ ଅନେକ ମ୍ୟାଚରେ ଭାରତକୁ ବିଜୟୀ କରାଇଥିଲେ । ଏହା ସହ ବିଶ୍ୱକପରେ ରୋହିତ ହିଁ ଭାରତର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଥିଲେ ।