ନୂଆ ଜିଏସଟି ସ୍ଲାବକୁ ନେଇ ସଫେଇ ରଖିଲେ କେନ୍ଦ୍ର ଅର୍ଥମନ୍ତ୍ରୀ । କହିଲେ, ରାଜ୍ୟମାନେ ଆଗରୁ ନେଉଥିଲେ ଅଧିକ ଭାଟ୍ ।

237

କନକ ବ୍ୟୁରୋ: ଚଣ୍ଡିଗଡରେ ଜିଏସଟି ମିଟିଂର ନିଷ୍ପତ୍ତି ପରେ ସାରା ଦେଶରୁ ଆସିଥିଲା ବିଦ୍ରୋହର ସ୍ୱର । ବାରମ୍ବାର ଜିଏସଟି ଲଗାଇ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧିକୁ ବିରୋଧ କରୁଛନ୍ତି ଜନତା । ଏହାକୁ ନେଇ ଟୁଇଟ୍ କରି ସ୍ପଷ୍ଟୋକ୍ତି ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କହିଛନ୍ତି, ଡାଲି ଜାତୀୟ ପଦାର୍ଥ, ପ୍ୟାକେଟ୍ ଖାଦ୍ୟ, ଚାଉଳ ଚୁନା, ଅଟା, ମଇଦା ଉପରେ ପ୍ରଥମ ଥର ପାଇଁ ଜିଏସଟି ଲାଗୁନାହିଁ । ଜିଏସଟିକୁ ନେଇ ଲୋକମାନଙ୍କ ମଧ୍ୟରେ ଭୁଲ ଧାରଣା ପ୍ରସାର କରାଯାଉଛି ।

ପ୍ରଥମ ଥର ପାଇଁ କଣ ଏହିସବୁ ପଦାର୍ଥ ଉପରେ ଜିଏସଟି ଲାଗିଛି ବୋଲି ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି ଅର୍ଥମନ୍ତ୍ରୀ । ଜିଏସଟି ଆସିବା ପୂର୍ବରୁ ରାଜ୍ୟ ସରକାର ଗୁଡିକର, ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଭାଟ୍ ଲଗାଉଥିଲେ । ଉଦାହରଣ ସ୍ୱରୂପ ପଞ୍ଜାବ, ମହାରାଷ୍ଟ୍ର, ଛତିଶଗଡ, ତେଲେଙ୍ଗାନା, ଓଡିଶା ଭଳି ରାଜ୍ୟରେ ଚାଉଳ ଓ ଚାଉଳ ଜାତୀୟ ପଦାର୍ଥ ଉପରେ ୫ରୁ ୬ ପ୍ରତିଶତ ଭ୍ୟାଟ୍ ଲଗାଉଥିବା କହିଛନ୍ତି ନିର୍ମଳା ସୀତାରମଣ ।

କେବଳ ପ୍ୟାକେଟ୍ରେ ମିଳୁଥିବା ଖାଦ୍ୟପଦାର୍ଥ ଉପରେ ଜିଏସଟି ଲଗାଯାଇଛି । କିନ୍ତୁ ଖୋଲାରେ ମିଳୁଥିବା କୌଣସି ପଦାର୍ଥ ଉପରେ ଜିଏସଟି ଲାଗିବ ନାହିଁ । ଶିଳ୍ପ ଓ ଯୋଗାଣ ମଧ୍ୟରେ ହେଉଥିବା ଟ୍ୟାକ୍ସ ହେରଫେରକୁ ରୋକିବା ବାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।