କେଜ୍ରିୱାଲଙ୍କ ପାଇଁ କଂଗ୍ରେସରେ ଫାଟ । କେନ୍ଦ୍ର ଅଧ୍ୟାଦେଶ ବିରୋଧରେ ସମର୍ଥନ ଦେବାକୁ ଯାଇ ଭାଳେଣିରେ ପଡିଛି କଂଗ୍ରେସ

240

କନକ ବ୍ୟୁରୋ : କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ବଳ ଗୋଟାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜଣଙ୍କ ପରେ ଜଣେ ବିରୋଧୀ ନେତାଙ୍କ ଶିବିରରେ ପହଁଚୁଛନ୍ତି ଓ ସମର୍ଥନ ହାତଉଛନ୍ତି କେଜ୍ରିୱାଲ । କିନ୍ତୁ ଏବେ ସୁଦ୍ଧା ମିଳିପାରିନି ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ସମର୍ଥନ । ଚର୍ଚ୍ଚା ହେଉଛି କଂଗ୍ରେସ କେଜ୍ରିୱାଲଙ୍କୁ ସମର୍ଥନ ଜଣାଇବ କି ନାହିଁ ଏନେଇ ମାନସମନ୍ଥନ କରୁଛି । ସୋମବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ପଂଜାବ ଓ ଦିଲ୍ଲୀ ନେତା । କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ଜଣାଇବା ଉଚିତ ନା ନୁହେଁ ଏନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି ।ଜଣାପଡିଛି ଶେଷ ନିଷ୍ପତି ନେବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ।

କିଛି ଦିନ ପୂର୍ବରୁ ଏଆଇସିସି ମହାସଚିବ କେସି ବେଣୁଗୋପାଳ କହିଥିଲେ ମୌସୁମୀ ଅଧିବେଶନରେ ଯଦି ସରକାର ଅଧ୍ୟାଦେଶକୁ ନେଇ ରାଜ୍ୟସଭାରେ ବିଲ ଆଣିବେ ତେବେ ଏହାକୁ କଂଗ୍ରେସ ବିରୋଧ କରିବ । ଏହା ପରେ ଦିଲ୍ଲୀ ଓ ପଂଜାବ ପ୍ରଦେଶ କଂଗ୍ରେସ ନେତା ମେ ୨୩ରେ ବୈଠକରି କେଜ୍ରିୱାଲଙ୍କୁ ସମର୍ଥନ କରିବାକୁ ମନା କରିିଥିଲେ ।

ଦିଲ୍ଲୀରେ ପ୍ରଶାସନିକ ଅଧିକାରୀ ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅଧିକାର ରହିବା ନେଇ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଛନ୍ତି । ଏହି ଅଧ୍ୟାଦେଶ ଯେପରି ରାଜ୍ୟ ସଭାରେ ପାରିତ ନହୁଏ, ସେଥିପାଇଁ ବିଜେପି ବିରୋଧୀଙ୍କୁ ଭେଟି ସମର୍ଥକ ଲୋଡୁଛନ୍ତି ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରେ ପ୍ରଶାସନିକ ଅଧିକାରୀ ନିଯୁକ୍ତି ଏବଂ ବଦଳି କ୍ଷେତ୍ରରେ କେନ୍ଦ୍ର ସରକାର କରିଥାନ୍ତି । ଯାହାକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲେ କେଜ୍ରିୱାଲ ସରକାର । ମାମଲାର ଶୁଣାଣି କରି ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳୀ ଉପରେ କେବଳ ନିର୍ବାଚିତ ସରକାରର ଅଧିକାର ରହିବ ବୋଲି କହିଥିଲେ ସୁପ୍ରିମକୋର୍ଟ । ଯାହା ବିରୋଧରେ ଅଧ୍ୟାଦେଶ ଆଣିଛନ୍ତି ମୋଦୀ ସରକାର ।