ରାଜ୍ୟର ବିକାଶ ପାଇଁ ଓଡ଼ିଶା ସରକାର ଆପଣାଇଲେ ଏଆଇ: ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ଦିଆଯିବ ପ୍ରଶିକ୍ଷଣ

384

କନକ ବ୍ୟୁରୋ: ରାଜ୍ୟର ବିକାଶ ପାଇଁ ଓଡ଼ିଶା ସରକାର, ଆର୍ଟିଫିସିଆଲ ଇଂଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାକୁ ଆପଣାଇ ସାରିଛନ୍ତି । ଏହି ଜ୍ଞାନ କୌଶଳକୁ ସମସ୍ତଙ୍କ ପାଖରେ ପହଂଚାଇବା ପାଇଁ ଏବେ ଉଦ୍ୟମ ଆରମ୍ଭ ହୋଇଛି । ପ୍ରାୟ୧୦ ଲକ୍ଷ ଲୋକଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି । ପରବର୍ତୀ ପିଢିକୁ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ପରିଚିତ କରାଇବା ପାଇଁ ଏଆଇ ସଂପର୍କରେ ପ୍ରଶିକ୍ଷଣ ଦିଆଯିବ ।

ବିଶ୍ୱର ଅନ୍ୟତମ ସେମିକଣ୍ଡକ୍ଟର ଯୋଗାଣ କମ୍ପାନି ଏନଭିଡିଆ କର୍ପୋରେସନର ସିଇଓ ଜେନସେନ ହୁଆଙ୍ଗ କହିଛନ୍ତି- ଆର୍ଟିଫିସିଆଲ ଇଂଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ଅର୍ଥ ହେଉଛି, ଏଣିକେ ଯେ’କେହି କମ୍ପ୍ୟୁଟର ପ୍ରୋଗ୍ରାମର ହୋଇପାରିବେ । କାରଣ କମ୍ପ୍ୟୁଟରକୁ ନିର୍ଦ୍ଦେଶ ଦେବାମାତ୍ରେ ତାହା ତଥ୍ୟ ପ୍ରଦାନ କରିବ । ଅର୍ଥାତ ଡିଜିଟାଲ ବିଭାଜନକୁ ଦୂର କରିବ ଏଆଇ ।

ସାଧାରଣତଃ ‘ଏଆଇ’ କହିବା ମାତ୍ରେ କମ୍ପ୍ୟୁଟର ବାବଦରେ ଜ୍ଞାନ ନଥିବା ଲୋକ ଭୟ କରିଥାନ୍ତି । ଏହାକୁ ବ୍ୟବହାର କରି ତଥ୍ୟ କେମିତି ହାସଲ କରିହେବ ସେଥିପାଇଁ ବିଶେଷ ଜ୍ଞାନର ଆବଶ୍ୟକ ପଡୁଥିବା ଅନୁଭବ କରିଥାନ୍ତି । ହେଲେ ଏନଭିଡିଆ କର୍ପୋରେସନର ସିଇଓଙ୍କ ମତରେ ଏଆଇକୁ ଏଭଳି ଡିଜାଇନ କରାଯାଇଛି ଯେ, ଏହା ଅତି ସରଳତାର ସହ ତଥ୍ୟ ପ୍ରଦାନ କରିବ ଓ ସାଧାରଣ ବ୍ୟକ୍ତିଟିଏର ଆବଶ୍ୟକତାକୁ ମଧ୍ୟ ପୂରଣ କରିବାକୁ ସମର୍ଥ ହେବ ।

ଏବେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଂଟେଲିଜେନ୍ସ କ୍ଷେତ୍ରରେ ଏକ ବଡ ପଦକ୍ଷେପ ନେଇଛି ଓଡିଶା । ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଓଡିଶା ଫର ଏଆଇ ଏବଂ ଏଆଇ ଫର ୟୁଥ୍ । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି ।

ଓଡି଼ଶା ଫର ଏଆଇ
– ‘ଓଡି଼ଶା ଫର ଏଆଇ’ ହେଉଛି ଆର୍ଟିଫିସିଆଲ ଇଂଟେଲିଜେନ୍ସ ଉପରେ ନିଃଶୁଳ୍କ ୪ ଘଂଟିଆ ପାଠ୍ୟକ୍ରମ
– ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ୱର, କଟକ ଓ ପୁରୀରେ ଉପଲବ୍ଧ ହେବ
– ପରବର୍ତ୍ତୀ ସମୟରେ ଅନ୍ୟ ସ୍ଥାନରେ ଏହାକୁ କାର୍ଯ୍ୟକ୍ଷମ କରିବା ଲାଗି ଲକ୍ଷ୍ୟ ରଖାଯାଇଛି
– Ai.odisha.ରେ ଏହି ୪ ଘଂଟିଆ ପାଠ୍ୟକ୍ରମ ପ୍ରଦାନ କରାଯିବ
ଏଆଇ ଫର ୟୁଥ୍
– ଓଡି଼ଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏଆଇ ଫର ୟୁଥ୍
– ପ୍ରଥମ ପର୍ଯ୍ୟାୟରେ ଫାଇବ-ଟି ଅନ୍ତର୍ଭୁକ୍ତ ୨୦୦୦ ସ୍କୁଲରେ କାର୍ଯ୍ୟକ୍ଷମ ହେବ
– ପ୍ରଯୁକ୍ତି କମ୍ପାନି ‘ଇଂଟେଲ’ ସହ ସହଭାଗିତାରେ ଚାଲିବ କାର୍ଯ୍ୟକ୍ରମ
– ରାଜ୍ୟ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସହ ଚୁକ୍ତି କରିଛି ‘ଇଂଟେଲ’
ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ ପରବର୍ତୀ ପିଢିକୁ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ପରିଚିତ କରାଇବା ପାଇଁ ଏଆଇ ସଂପର୍କରେ ପ୍ରଶିକ୍ଷଣ ଦିଆଯିବ । ୧୦ ଲକ୍ଷ ଲୋକଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଯୋଜନା କରାଯାଇଛି । ଏହି ପଦକ୍ଷେପ ଜନସାଧାରଣଙ୍କ ଡିଜିଟାଲ ସାକ୍ଷରତାକୁ ବୃଦ୍ଧି କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।