ଆସନ୍ତା ୨୩ ତାରିଖରୁ ଭୁବନେଶ୍ୱର ମହାନଗର ନିଗମର ଅଞ୍ଚଳରେ ଖୋଲିବ ଧର୍ମାନୁଷ୍ଠାନ : ଲିଙ୍ଗରାଜ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେବ ମନ୍ଦିର ପ୍ରଶାସନ

111

କନକ ବ୍ୟୁରୋ : ଅଗଷ୍ଟ ୨୩ ତାରିଖରୁ କରୋନା କଟକଣା ଭିତରେ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାରକୁ ଭକ୍ତଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମୁନିସପାଲ କର୍ପୋରେସନ୍ । ତେବେ ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବ କି ନାହିଁ, ଏହି ନିଷ୍ପତ୍ତି ଲିଙ୍ଗରାଜ ମନ୍ଦିର ପ୍ରଶାସନ ଉପରେ ଛାଡିଛି ବିଏମସି । ଯଦି ଲିଙ୍ଗରାଜ ମନ୍ଦିର ଖୋଲେ, ତେବେ ଏକ ସମୟରେ ୧୦୦ ଜଣ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ । ଗର୍ଭଗୃହ ଭିତରେ ଦର୍ଶନ ଓ ସାହାଣ ମେଲା ଦର୍ଶନକୁ ବାରଣ କରାଯାଇଛି । କରୋନା କଟକଣା ଅନୁସାରେ ଭକ୍ତ କେବଳ ଦିଅଁ ଦର୍ଶନ କରିପାରିବେ, ଭୋଗ କିମ୍ବା ଅନ୍ୟ ସାମଗ୍ରୀ ନେଇ ଯାଇପାରିବେ ନାହିଁ । ସିଂହଦ୍ୱାର ଠାରୁ ଅଡ଼ା କାଠ ପର୍ଯ୍ୟନ୍ତ ଭକ୍ତମାନେ ଆସିପାରିବେ । ଲିଙ୍ଗରାଜ ମନ୍ଦିର ବାହାରେ ବିଏମସି ବ୍ୟାରିକେଡ୍ କରିବ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ମୂତୟନ ରହିବେ ।

ଏପଟେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ବେଳେ କରୋନା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି । ଗର୍ଭଗୃହ ଭିତରକୁ ପ୍ରବେଶ ମନା ହୋଇଥିବା ବେଳେ ଦର୍ଶନ ସମୟରେ ସାମାଜିକ ଦୂରତା ବା ୬ ଫୁଟ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । ଭୋଗ ବା ଅନ୍ୟ ସାମଗ୍ରୀ ନେବା ବାରଣ ହୋଇଛି ।  ଧର୍ମାନୁଷ୍ଠାନରେ ଏକକାଳୀନ ୨୫ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ । ଦୁଇ ଡୋଜ୍ ଟିକା ସାର୍ଟିଫିକେଟ କିମ୍ବା ଆରଟି-ପିସିଆର ରିପୋର୍ଟ ନେଗେଟିଭ୍ ଥିଲେ ସେବାୟତ ଓ ପୂଜାପଣ୍ଡାଙ୍କୁ ନୀତିକାନ୍ତି କରିବାକୁ ଅନୁମତି ମିଳିବ । ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ ଏବଂ ପ୍ରବେଶ  ଓ ପ୍ରସ୍ଥାନ ପଥରେ ହାତ ଧୋଇବା କିମ୍ବା ସାନିଟାଇଜ୍ କରିବା ପାଇଁ ବ୍ୟବସ୍ଥା କରିବେ ମନ୍ଦିର କର୍ତ୍ତୃପକ୍ଷ ।

ମନ୍ଦିର ଭିତରେ ବା ବାହାରେ ପାନ କିମ୍ବା ଗୁଟଖା ଖାଇବାକୁ ବାରଣ କରାଯାଇଛି । ଜର, ଥଣ୍ଡା କିମ୍ବା କାଶ ଭଳି ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ସେହିପରି ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତି, ବୃଦ୍ଧ/ବୃଦ୍ଧା, ଗର୍ଭବତୀ ମହିଳା, ୧୮ ବର୍ଷରୁ କମ ପିଲାଙ୍କୁ ମନ୍ଦିରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଯଦି କୌଣସି ମନ୍ଦିର କିମ୍ବା ଧର୍ମାନୁଷ୍ଠାନରେ କରୋନା ଗାଇଡଲାଇନ ପାଳନ କରାନଯିବ, ତେବେ ଅନୁମତି ପ୍ରତ୍ୟାହାର କରାଯିବ ବୋଲି କହିଛି ବିଏମସି ।