ଦୁଷ୍କର୍ମ ମାମଲାରେ କେରଳ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଉଭୟ ସ୍ତ୍ରୀ ଓ ପୁରୁଷଙ୍କ ପାଇଁ ସମାନ ନ୍ୟାୟ 

190

କନକ ବ୍ୟୁରୋ : ଦୁଷ୍କର୍ମ ଭଳି ଅପରାଧକୁ କେବଳ ଲିଙ୍ଗଗତ ସହ ଯୋଡି ଦେଖାଯିବାକୁ ଭୁଲ ବୋଲି କହିଛନ୍ତି କେରଳ ହାଇକୋର୍ଟ । ହାଇକୋର୍ଟ କହିଛନ୍ତି ଯେ ବିବାହର ପ୍ରତିଶ୍ରୁତି ଦେଇ ଯଦି ଜଣେ ପୁରୁଷ କୌଣସି ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖନ୍ତି ଓ ପରେ ଧୋକା ଦିଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । କିନ୍ତୁ ଯଦି ଜଣେ ମହିଳା ଏଭଳି କରନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଏ ନାହିଁ । ଏହା କିଭଳି ଆଇନ ?

ଏଭଳି ଅପରାଧ ଲିଙ୍ଗଗତ ନିରପେକ୍ଷ ହେବା ଆବଶ୍ୟକ ବୋଲି ହାଇକୋର୍ଟ ମତ ଦେଇଛନ୍ତି । ଛାଡପତ୍ର ପାଇଥିବା ଏକ ଦମ୍ପତି ସେମାନଙ୍କ ସନ୍ତାନକୁ ନିଜ ପାଖରେ ରଖିବା ପାଇଁ କରିଥିବା ଆବେଦନ ଉପରେ ଶୁଣାଣି କରିବା ବେଳେ ହାଇକୋର୍ଟ ବିଚାରପତି ମହମ୍ମଦ ମୁସ୍ତାକ ଏଭଳି ମତାମତ ଦେଇଛନ୍ତି । ଶୁଣାଣି ବେଳେ ମହିଳାଙ୍କ ଓକିଲ ଦର୍ଶାଇଥିଲେ ଯେ,ପୁରୁଷ ଜଣକ ଦୁଷ୍କର୍ମ ମାମଲାର ଜେଲ ଯାଇଛନ୍ତି । ଅନ୍ୟପକ୍ଷର ପୁରୁଷଙ୍କ ଓକିଲ କହିଥିଲେ, ତାଙ୍କ ମହକିଲଙ୍କ ବିରୋଧରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରିରୀକ ସର୍ମ୍ପକ ରଖିବାର ଅଭିଯୋଗ ରହିଛି ।

ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ବିଚାରପତି କହିଛନ୍ତି ଯେ, ଦୁଷ୍କର୍ମ ଭଳି ମାମଲାକୁ କେବଳ ଲିଙ୍ଗଗତ ଚଷମାରେ ଦେଖାଯିବା ଉଚିତ ନୁହେଁ । ଏହା ଲିଙ୍ଗଗତ ନିରପେକ୍ଷ ହେବା ଉଚିତ । ଦୁଷ୍କର୍ମ ପାଇଁ ଦଣ୍ଡାଦେଶର ବ୍ୟବସ୍ଥା ଥିବା ଆଇପିସିର ଦଫା ୩୭୬କୁ ନେଇ ବିଚାରପତି ଚିନ୍ତା ପ୍ରକଟ କରିଛନ୍ତି । ଏହି ଆଇନ ଲିଙ୍ଗଗତ ନିରପେକ୍ଷ ନୁହେଁ ବୋଲି ବିଚାରପତି କହିଛନ୍ତି । ଚଳିତବର୍ଷ ଏ ସଂକ୍ରାନ୍ତରେ ଆଗତ ଅନ୍ୟ ଏକ ମାମଲାର ଶୁଣାଣି ବେଳେ ବିଚାରପତି ମୁସ୍ତାକ ଏଭଳି ପ୍ରଶ୍ନ ଉଠାଇ କହିଥିଲେ ଯେ, ଆଇପିସିରେ ଦୁଷ୍କର୍ମ ପାଇଁ ରହିଥିବା ପ୍ରାବଧାନ ମହିଳା ଓ ପୁରୁଷଙ୍କ ପାଇଁ ଭିନ୍ନ ଭିନ୍ନ ରହିଛି । କିନ୍ତୁ ଆଇନ ଏଭଳି ହେବା କଥା ନୁହେଁ ।