ଯେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଭେଟିଥିଲେ ବିଗ୍ ବୁଲ ଝୁନଝୁନୱାଲା, ଚର୍ଚ୍ଚାରେ ଥିଲା ତାଙ୍କ ସାର୍ଟ

682

କନକ ବ୍ୟୁରୋ: ସେୟାର ମାର୍କେଟର ବିଗ୍ ବୁଲ ଭାବେ ଜଣାଶୁଣା ନିବେଶକ ରାକେଶ ଝୁନଝୁନୱାଲାଙ୍କର ୬୨ ବର୍ଷ ବୟସରେ ନିଧନ ହୋଇଛି । ତାଙ୍କର ପରଲୋକରେ ସାରା ଦେଶକୁ ଝଟକା ଲାଗିଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ, ବ୍ୟବସାୟୀ ସବୁ ବର୍ଗର ମାନ୍ୟଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ମୁମ୍ବାଇର ବ୍ରିଜ୍ କ୍ୟାଣ୍ଡି ହସ୍ପିଟାଲରେ ରାକେଶ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ନିକଟ ଅତୀତରେ ଯେତେବେଳେ ରାକେଶ ଝୁନଝୁନୱାଲା ପତ୍ନୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ ତାଙ୍କ ସାର୍ଟକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ମୋଦୀଙ୍କ ସହ ତାଙ୍କ ସାକ୍ଷାତକାରର ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଏହି ଫଟୋରେ ଝୁନଝୁନୱାଲା ଚୌକିରେ ବସିଥିବାବେଳେ ମୋଦୀ ଜଣେ ଆଜ୍ଞାଧୀନଙ୍କ ପରି ପାଖରେ ଛିଡା ହୋଇଥିଲେ । ମୋଦୀ ତାଙ୍କର ଭୂୟସୀ ପ୍ରଶଂସା ମଧ୍ୟ କରିଥିଲେ । ରାକେଶଙ୍କୁ ମୋଦୀ ‘ୱାନ ଆଣ୍ଡ ଦ ଓନଲି’ ବୋଲି ସମ୍ବୋଧନ ମଧ୍ୟ କରିଥିଲେ । ଏହାସହ ରାକେଶଙ୍କ ସାର୍ଟକୁ ନେଇ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଥିଲେ । ଏତେ ସମ୍ପତ୍ତିର ମାଲିକ ହୋଇ ମଧ୍ୟ ଏପରି କୋଚାମୋଚା ସାର୍ଟ ପିନ୍ଧିଛନ୍ତି ବୋଲି ଲୋକେ ପ୍ରଶ୍ନ କରିଥିଲେ ।

ଏହାର ଉତ୍ତରରେ ରାକେଶ ଝୁନଝୁନୱାଲା ମଧ୍ୟ ବେଶ୍ ରୋଚକ ଉତ୍ତର ଦେଇଥିଲେ । କହିଥିଲେ, ‘ମୁଁ ପୋଷାକ ଉପରେ ଗୁରୁତ୍ୱ ଦିଏନାହିଁ । ଚକାଚକ୍ ସାର୍ଟ ପିନ୍ଧି ମୋତେ କାହାରିକୁ ଇମ୍ପ୍ରେସ କରିବାର ନାହିଁ କି କୌଣସି କ୍ଲାଏଣ୍ଟ ବନାଇବାର ନାହିଁ । ପୋଷାକ ନୁହେଁ ବରଂ ମଣିଷର କାର୍ଯ୍ୟ ଓ ବ୍ୟବହାର ତା’ର ପ୍ରକୃତ ପରିଚୟ’ ବୋଲି କହିଥିଲେ ।