ମାତ୍ର ୫ ହଜାର ଟଙ୍କାରୁ ଆରମ୍ଭ, ଏବେ ହଜାର ହଜାର କୋଟି ସମ୍ପତ୍ତିର ସାମ୍ରାଜ୍ୟ । ଜାଣନ୍ତୁ ରାକେଶ ଝୁନଝୁନୱାଲାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ।

590

କନକ ବ୍ୟୁରୋ : ସେୟାର ବଜାରର ବଡ ଚେହେରା କୁହାଯାଉଥିବା ରାକେଶ ଝୁନଝୁନୱାଲାଙ୍କ ପରଲୋକ । ମାତ୍ର ୬୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଝୁନଝୁନୱାଲା । ରାକେଶଙ୍କ ବିୟୋଗରେ ପୂରା ଦେଶ ଏବେ ସ୍ତବ୍ଧ । ପ୍ରଧାନମନ୍ତ୍ରୀ ମୋଦୀ ରାକେଶଙ୍କ ବିୟୋଗରେ ଶୋକ ବ୍ୟକ୍ତି କରିଛନ୍ତି । ତେବେ କିଏ ଏହି ରାକେଶ ଝୁନଝୁନୱାଲା ଓ ସେୟାର ବଜାରରେ କେମିତି ସଫଳତାର ଶୀର୍ଷରେ ପହଞ୍ଚିଥିଲେ ରାକେଶ?

ରାକେଶ ଝୁନଝୁନୱାଲା । ସେୟାର ବଜାରର ବିଗବୁଲ । କାରଣ ଯେଉଁ ସେୟାରରେ ରାକେଶ ନିବେଶ କରୁଥିଲେ ତାହା ରାତାରାତି ଆକାଶଛୁଆଁ ହେଉଥିଲା । ୧୯୬୦ ଜୁଲାଇ ୫ରେ ଜନ୍ମଗ୍ରହଣ କରିଥିବା ରାକେଶ ଦେଶର ଜଣେ ସଫଳ ନିବେଶକ । ମାତ୍ର ୫ ହଜାର ଟଙ୍କାରୁ ସେୟାର ବଜାରରେ ନିବେଶ ଆରମ୍ଭ କରିଥିବା ରାକେଶ ପରବର୍ତ୍ତୀ ସମୟରେ ଦେଶର ସବୁଠୁ ସଫଳ ସେୟାର ବଜାର ନିବେଶକ ପାଲଟିଥିଲେ । ଏବେ ରାକେଶଙ୍କର ୪୦ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଛି । କେବଳ ସେୟାର ବଜାର ନୁହେଁ ବରଂ ବିଭିନ୍ନ କ୍ଷେତ୍ରରେ ନିବେଶ କରିଛନ୍ତି ଝୁନଝୁନୱାଲା । ଯିଏ ଅନେକ ଭାରତୀୟ ଯୁବକଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ।
ରାକେଶଙ୍କ ବାପା ଆୟକର ବିଭାଗର ଅଧିକାରୀ ଥିଲେ । ବାପାଙ୍କ ଠାରୁ ପ୍ରଭାବିତ ହୋଇ ଝୁନଝୁନୱାଲା ସେୟାର ବଜାରରେ ଟଙ୍କା ଲଗାଇବାକୁ ସ୍ଥିର କରିଥିଲେ । ଯେହେତୁ ରାକେଶ ଚାଟାର୍ଡ ଆକାଉଣ୍ଟାଟ ଥିଲେ ତେଣୁ ସେୟାର ବଜାରରେ ନିବେଶ କରିବାକୁ ବେଶି କସରତ କରିବାକୁ ପଡିନଥିଲା । କିନ୍ତୁ ସେୟାର ବଜାରରେ ଟଙ୍କା ନିବେଶ ପାଇଁ ରାକେଶଙ୍କୁ ଟଙ୍କା ଦେଇନଥିଲେ ବାପା । ଆଉ କହିଥିଲେ ସେୟାର ବଜାରରେ ନିବେଶ କରିବାର ଅଛି ତ ନିଜେ ଟଙ୍କା ରୋଜଗାର କର ଏବଂ ଏହାକୁ ସେୟାର ବଜାରରେ ଲଗାଅ ।

୧୯୮୫ରେ ପ୍ରଥମ ଥର ପାଇଁ ସେୟାର ବଜାରରେ ଏଣ୍ଟ୍ରି କଲେ ରାକେଶ । ପ୍ରଥମେ ମାତ୍ର ୫ ହଜାର ଟଙ୍କାର ନିବେଶ କରିଥିଲେ ଏବଂ ଏଥିରେ ଲାଭ ପାଇଥିଲେ । ପ୍ରଥମେ ଟାଟା ସେୟାର କିଣି ୩ ମାସରେ ଭଲ ଦି ପଇସା ରୋଜଗାର କଲେ । ଆଉ ଏହା ପରଠାରୁ ପଛକୁ ଫେରି ଚାହିଁନଥିଲେ ରାକେଶ । ୧୯୮୬ରୁ ୧୯୮୯ ମଧ୍ୟରେ ରାକେଶ ପ୍ରାୟ ୨.୫ କୋଟି ଟଙ୍କାର ଲାଭ ପାଇଥିଲେ । ଆଉ ଏହା ପରେ ସେୟାର ବଜାରରେ ରାକେଶଙ୍କ ଯାତ୍ରା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି ।

ସେୟାର ମାର୍କେଟର ପୋଖତ ଖେଳାଳୀ କୁହାଯାଉଥିବା ରାକେଶ ଝୁନଝୁନୱାଲା ଗତ କିଛି ଦିନ ପୂର୍ବରୁ ହିଁ ଏୟାରଲାଇନ୍ସ ସେକ୍ଟରରେ ପାଦ ରଖିଥିଲେ । ନୂଆ ଏୟାରଲାଇନ୍ସ କମ୍ପାନି ଆକାଶା ଏୟାରରେ କୋଟି କୋଟି ଟଙ୍କା ନିବେଶ କରିଥିଲେ ରାକେଶ ଏବଂ ୭ ଅଗଷ୍ଟରୁ ହିଁ ଏହା ଚାଲୁ ହୋଇଥିଲା । ରାକେଶ ଏଭଳି ଜଣେ ବ୍ୟକ୍ତିତ୍ୱ ଯିଏ ରିସ୍କ ନେବାକୁ ପସନ୍ଦ କରନ୍ତି । ଯେତେବେଳେ କ୍ଷତି ଭୟରେ ସେୟାର ବଜାରରେ ଲୋକେ ଟଙ୍କା ନିବେଶ କରିବାକୁ ଡରିଥାନ୍ତି ସେତେବେଳେ ରାକେଶ ସେୟାର ବଜାରରୁ ହିଁ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି ।