ଶ୍ରୀଲଙ୍କା ସରକାରଙ୍କ ବିରୋଧରେ ଲୋକଙ୍କ ଆକ୍ରୋସ। ରାସ୍ତାକୁ ଓହ୍ଲେଇଲେ ହଜାର ହଜାର ପ୍ରଦର୍ଶନକାରୀ।

54

କନକ ବ୍ୟୁରୋ: ଶ୍ରୀଲଙ୍କାରେ ବଢିଲା ସରକାରଙ୍କ ସଙ୍କଟ । ପ୍ରବଳ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ରାଜନୈତିକ ସଂକଟ ଘନେଇବାରେ ଲାଗିଛି । ଏହାରି ଭିତରେ ଶନିବାର ରାଷ୍ଟ୍ରପତି ଭବନ ଘେରାଉ କରିଛନ୍ତି ହଜାର ହଜାର ବିକ୍ଷୋଭକାରୀ । ଖାଲି ସେତିକି ନୁହେଁ, ରାଷ୍ଟ୍ରପତି ଭବନରେ ଭଙ୍ଗାରୁଜା କରିଛନ୍ତି ପ୍ରଦର୍ଶନକାରୀ। ଫଳରେ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷେ ନିଜ ବାସଭବନ ଛାଡ଼ିଚାଲିଯାଇଛନ୍ତି । ପୋଲିସ ଫାଙ୍କା ଗୁଳିଚାଳନା କରିଥିଲେ ବି ରାଷ୍ଟ୍ରପତି ଭବନ ଘେରାଉ କରିଥିବା ଉତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାରେ ଅସମର୍ଥ ହୋଇଥିବା ଜଣାପଡ଼ିଛି । ଶ୍ରୀଲଙ୍କାରେ ଆର୍ଥିକ ପରିସ୍ଥିତି ଉକ୍ରଟ ହେବାରୁ ମାର୍ଚ୍ଚ ମାସରୁ ଅଗଣିତ ପ୍ରତିବାଦକାରୀ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଆସୁଥିଲେ ।

୧୯୪୮ ମସିହାରେ ସ୍ୱାଧୀନତା ପାଇବା ପରଠାରୁ ଶ୍ରୀଲଙ୍କା ଏବେ ସବୁଠାରୁ ବଡ଼ ଆର୍ଥିକ ସଂକଟ ଦେଇ ଗତିକରୁଛି । ଏମିତିକି ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀ ପଦ ପରିବର୍ତ୍ତନ ହୋଇଥିଲେ ସୁଦ୍ଧା ଆର୍ଥିକ ସଙ୍କଟରେ କୌଣସି ସୁଧାର ଦେଖାଯାଇନାହିଁ । ଠିକ୍ ସେହିପରି ଲୋକମାନଙ୍କ ଆକ୍ରୋସ ମଧ୍ୟ କମିନାହିଁ ।

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଉଗ୍ରରୂପ ଧାରଣ କରୁଛି । ଲୋକମାନଙ୍କୁ ଜରୁରୀ ସାମଗ୍ରୀ ମିଳିବା କାଠିକର ପାଠ ହେଉଛି । ଠିକ୍ ସେହିପରି ଅତ୍ୟାବଶ୍ୟକୀୟ ଜିନିଷର ଦରଦାମ୍ ମଧ୍ୟ ଆକାଶଛୁଆଁ ରହିଆସୁଛି । ଗତ ମେ ୧୧ ତାରିଖରେ ତତକାଳୀନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଲୋକମାନଙ୍କ ହିଂସା ଦାଉରୁ ରକ୍ଷା ପାଇବା ପାଇଁ ପରିବାର ସହ ନିଜ ପ୍ରଧାନମନ୍ତ୍ରୀ ଆବାସ ଛାଡିବାକୁ ବାଧ୍ୟହୋଇଥିଲେ । ଏବେ ସମାନ ସ୍ଥିତି ପୁଣିଥରେ ଦେଖିବାକୁ ମିଳିଛି । ଅନ୍ୟପଟେ ଏଭଳି ସ୍ଥିତିରେ ତ୍ୱରିତ ପଦକ୍ଷେପ ନେବାକୁ ବର୍ତମାନର ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମସିଂଘେ ପାର୍ଟିର ନେତାମାନଙ୍କର ଜରୁରୀ ବୈଠକ ଡକାଇଥିଲେ । ଏହା ପୂର୍ବରୁ ଶନିବାର କୌଣସି ବିଷମ ପରିସ୍ଥିତିକୁ ଏଡ଼ାଇବା ପାଇଁ ଦେଶରେ କର୍ଫ୍ୟୁ ଲାଗୁ କରାଯାଇଥିଲା । ସେନାକୁ ମଧ୍ୟ ଆଲର୍ଟରେ ରଖାଯାଇଥିଲା । ଅନ୍ୟପଟେ କିଛି ପ୍ରଦର୍ଶନକାରୀ ରାଷ୍ଟ୍ରପତି ଭବନ ମଧ୍ୟରେ ଥିବା ସୁଇମିଂପୁଲରେ ଗାଧୋଉଥିବାର ନଜର ଆସିଛନ୍ତି । ଏମିତିକି ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ୍ ହେଇଛି ।