ଅମରନାଥ ଯାତ୍ରା ବେଳେ ଅଘଟଣ। ୧୫ରୁ ଅଧିକଙ୍କ ମୃତ୍ୟୁ, ୪୦ରୁ ଅଧିକ ନିଖୋଜ । 

89

କନକ ବ୍ୟୁରୋ:  ଦୁଇବର୍ଷ ପରେ ଅମରନାଥ ଯାତ୍ରା କରିବାର ସୁଯୋଗ ମିଳିଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ନାହିଁ ନଥିବା ଉକ୍ରଣ୍ଠା ଦେଖିଥିବାକୁ ମିଳିଥିଲା । ଅମରନାଥ ଯାତ୍ରା ଆରମ୍ଭ ହେବାର ସପ୍ତାହେ ପୂରିଥିବା ବେଳେ ଶୁକ୍ରବାର ଅମରନାଥର ପବିତ୍ର ଗୁମ୍ଫାରେ ଘଟିଛି ବଡ଼ ଅଘଟଣ । ବାଦଲ ଫାଟିବା ଦ୍ୱାରା ହଠାତ୍ ମାଡ଼ିଆସିଥିଲା ପାଣିର ପ୍ରଖର ସୁଅ । ଆଉ ଚାହୁଁଚାହୁଁ ଭାସିଗଲେ ଏକାଧିକ ଲୋକେ । ୧୫ରୁ ଅଧିକ ଲୋକଙ୍କର ପ୍ରାଣ ଯାଇଥିବା ବେଳେ ୪୦ରୁ ଅଧିକ ଲୋକେ ନିଖୋଜ ଅଛନ୍ତି । ଉଦ୍ଧାରକାରୀ ଦଳ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ଏବଂ ଏପର୍ଯ୍ୟନ୍ତ ୧୫ହଜାରରୁ ଅଧିକ ଲୋକଙ୍କୁ ପାହାଡ଼ ତଳକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିସାରିଛନ୍ତି ।

ଅମରନାଥ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ପାଗ ସମ୍ପୂର୍ଣ୍ଣ ପ୍ରତିକୂଳ ଥିଲା । ଝିପଝିପ ବର୍ଷା କାରଣରୁ ପାଗ ପୂରା କୋହଲା ଥିଲା । କିନ୍ତୁ ଶୁକ୍ରବାର ସନ୍ଧ୍ୟା ସାଢ଼େ ୫ଟା ବେଳେ ହଠାତ୍ ଜୋରରେ ଶବ୍ଦ ହୋଇଥିଲା । ଗୁମ୍ଫାକୁ ଲାଗିଥିବା ପାହାଡ଼ରୁ ପାଣିର ପ୍ରଖର ସୁଅ ପ୍ରବାହିତ ହେବାରେ ଲାଗିଲା । ଦେଖୁ ଦେଖୁ ପାଣିର ସ୍ରୋତରେ ତୀର୍ଥଯାତ୍ରୀଙ୍କ ରହଣି ପାଇଁ ନିର୍ମିତ ଟେଣ୍ଟ ସହ ବହୁ ଲୋକେ ଭାସିଗଲେ । ଆଉ ଯିଏ ଯୁଆଡ଼େ ପାରିଲା ଦୌଡ଼ିବାରେ ଲାଗିଲା । ଗୁମ୍ଫା ତଳେ ଥିବା ଶିବିରରେ ବିଦ୍ୟୁତ ସେବା ମଧ୍ୟ ବନ୍ଦ ହୋଇଯିବାରୁ ସମସ୍ୟା ଆହୁରି ବଢ଼ିଯାଇଥିଲା । ଏହି ସମୟରେ ସମସ୍ତଙ୍କ ମୁହଁରେ ଭଗବାନ ଶିବଙ୍କ ନାଁ ଥିଲା । ଭାରତୀୟ ସେନା, ଏନଡିଆରଏଫ୍, ଏସଡିଆରଏଫ୍, ଆଇଟିବିପି, ଜାମ୍ମୁ ଓ କାଶ୍ମୀର ପୋଲିସ୍ ତୁରନ୍ତ ପହଂଚି ଉଦ୍ଧାର କାମରେ ନିୟୋଜିତ ହୋଇଥିଲେ ।

ପୂର୍ବରୁ କେବେ ଘଟିଥିଲା ଏମିତି ଅଘଟଣ?

୧୯୬୯ରେ ବାଦଲ ଫାଟିବାରୁ ଯାଇଥିଲା ୧୦୦ ଜଣଙ୍କ ଜୀବନ  

୧୯୯୬ରେ ଅମରନାଥ ଗୁମ୍ଫାର ଅତି ନିକଟରେ ଫାଟିଥିଲା ବାଦଲ

ପାଣିର ପ୍ରଖର ସୁଅରେ ଭାସିଯାଇଥିଲେ ୨୫୦ ଶ୍ରଦ୍ଧାଳୁ

୨୦୧୫ରେ ବାଲଟାଲ ଶିବିର ପାଖରେ ଫାଟିଥିଲା ବାଦଲ 

ଦୁଇ ଶିଶୁ ସମେତ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

୨୦୨୧ରେ ବାବାଙ୍କ ଗୁମ୍ଫା ନିକଟରେ ଫାଟିଥିଲା ବାଦଲ

କରୋନା ସଂକ୍ରମଣ ଯୋଗୁଁ ଯାତ୍ରା ବାତିଲ ଥିବାରୁ କୌଣସି କ୍ଷତି ହୋଇନଥିଲା

ପାଣି ସୁଅରେ କିଛି ଯବାନ ଓ ନାଗରିକ ଫସିଥିବା ସେନା ସୂଚନା ଦେଇଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ୱତନ୍ତ୍ର ପ୍ରକାରର ୱାଲ ପେନିଟ୍ରେସନ୍ ରାଡାରର ବ୍ୟବହୃତ କରାଯାଉଛି । ଏହା ଆଣ୍ଟିଟେରୋରିଷ୍ଟ ଅପରେସନରେ ଘରେ କିମ୍ବା କାନ୍ଥ ଭିତରେ ଲୁଚିଥିବା ଆତଙ୍କବାଦୀଙ୍କ ଠିକଣା ଖୋଜିବା ପାଇଁ ବ୍ୟବହାର କରାଯାଇଥାଏ ।