ପ୍ରଣବ ପ୍ରକାଶ ହେଲେ କ୍ରିକେଟ ପ୍ରଶାସକ: ଓସିଏ ସଭାପତି ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

800

କନକ ବ୍ୟୁରୋ: ଓଡିଶା କ୍ରିକେଟ ଆସୋସିଏସନ ନିର୍ବାଚନକୁ ନେଇ ଚର୍ଚ୍ଚା ଭିତରେ ନାମାଙ୍କନ ଦାଖଲ କରିଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଓସିଏ ସଭାପତି ପଦ ପାଇଁ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ଦାଖଲ ପାଇଁ ଗୋଟିଏ ଦିନ ରହିଥିବା ବେଳେ ଅନ୍ୟ କେହି ପ୍ରାର୍ଥପତ୍ର ଦାଖଲ କରିନାହାନ୍ତି । ତେଣୁ ପ୍ରଣବ ପ୍ରକାଶ ଦାସ ଏକ ପ୍ରକାର ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଆସନ୍ତା ୨୮ ତାରିଖରେ କେବଳ ବିଧିବଦ୍ଧ ଘୋଷଣା ବାକି ରହିଛି । ସେହିପରି ଉପସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ଓ ସଂପାଦକ ଭାବେ ସଂଜୟ ବେହେରା ମଧ୍ୟ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

ଚର୍ଚ୍ଚା ହେଉଥିଲା ୨୦୧୯ ନିର୍ବାଚନରେ ଅଳ୍ପେକ ହାରି ଯାଇଥିବା ପ୍ରଦୀପ ଚୌହ୍ୱାନ ଓ ନବ ପଟ୍ଟନାୟକ ଏଥର ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇ ପାରନ୍ତି । ହେଲେ ସେଭଳି କିଛି ହେଲା ନାହିଁ । କ୍ରିକେଟକୁ ଅନିଶ୍ଚିତତାର ଖେଳ କୁହାଯାଉଥିବା ବେଳେ କ୍ରିକେଟ ପ୍ରଶାସକ ନିର୍ବାଚନରେ ଅସ୍ୱଭାବିକ ଚିତ୍ର ଦେଖିବାକୁ ମିଳିଛି । ନିର୍ବାଚନରେ ବିଜୟ ପାଇଁ ପ୍ରବଣ ଗୋଷ୍ଠୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବ ପଟ୍ଟନାୟକ ।

କୁହାଯାଏ କ୍ରିକେଟ ଯେଉଁଠି, କ୍ଷମତା ସେଇଠିା କ୍ରିଡା ଜଗତରେ ରାଜନେତା ମୁଖିଆ ହେବା ଦେଶରେ ନୂଆ କଥା ନୁହେଁ । ରାଜ୍ୟର ସବୁଠି ବିତଶାଳୀ ଓ ଆଉ ବଡ କ୍ରୀଡା ସଂଘ ହେଉଛି ଓସିଏ । ଦୀର୍ଘ ବର୍ଷ ଧରି ଓସିଏ ରାଜନୈତିକ କ୍ଷମତା କେନ୍ଦ୍ର ହୋଇ ରହି ଆସିଛି । ଆଉ କ୍ରିକେଟ ମୈଦାନରେ ରାଜନେତାଙ୍କ ପ୍ରଭାବ, ପତିଆରା ରହି ଆସିଛି । ଶାସକ ଦଳର କ୍ଷମତାଶାଳୀ ନେତା ପ୍ରଣବ ପ୍ରକାଶ ଦାସ ଓସିଏ ନିର୍ବାଚନ ମୈଦାନକୁ ଓହ୍ଲାଇ ଅପ୍ରତିଦ୍ୱନ୍ଦ୍ୱି ହେବା ପରେ କ୍ରିକେଟ ପ୍ରଶାସନକୁ ସରକାରୀ କବଜାରେ ରଖିବା ଆଶଙ୍କା କରାଯାଉଛି ।

ରାଜନୈତିକ ମୈଦାନର ଅନେକ ଖେଳାଳି କ୍ରିକେଟ ପ୍ରଶାସକ ବନିଛନ୍ତି । ଏହି ଧାର ଓଡିଶା ମଧ୍ୟ ଅତିତରେ ଦେଖି ସାରିଛି । ଓସିଏର ଇତିହାସ ଓଲଟାଇ ଦେଖିଲେ, ଓସିଏର ପ୍ରଥମ ସଭାପତି ହୋଇଥିଲେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ । ଏହାପରେ ଅନେକ ରାଜନେତା ଓସିଏକୁ ନିଜ ଅକ୍ତିଆରକୁ ନେଇଥିଲେ । ଆଉ ସେହି ଧାରାକୁ ଆଗକୁ ବଢାଇଛନ୍ତି ପ୍ରଣବ ପ୍ରକାଶ ଦାସ ।