ରୋଜଗାରର ବାଟ ଦେଖାଇଛି କୁକୁଡ଼ା ଚାଷ। ବ୍ରଏଲର କୁକୁଡ଼ା ଚାଷ କରି ଲାଭବାନ ସର୍ଗିପାଲି ଗ୍ରାମବାସୀ।

136

କନକ ବ୍ୟୁରୋ : ବଲାଙ୍ଗିର ଖପ୍ରାଖୋଲ ବ୍ଲକର ସର୍ଗିପାଲି ଗାଁ । ମାଓ ଅଧ୍ୟୁଷିତ ଖପ୍ରାଖୋଲ ବ୍ଲକରୁ ଅଧିକାଂଶ ଲୋକ ଜୀବିକାନିର୍ବାହ କରିବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଆନ୍ତି । ଯାହା ଦାଦନ ପ୍ରବଣ ଅଞ୍ଚଳ ଭାବେ ମଧ୍ୟ ପରିଚିିତ । କିନ୍ତୁ ଏବେ ଏହାର ଚିତ୍ର ବଦଳାଇଛି କୁକୁଡ଼ା ଚାଷ । ସର୍ଗିପାଲି ଗାଁ ଭାନୁମତି, ଶ୍ରୀମତି ନେପୁର ବରିହା ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ । କିନ୍ତୁ କୁକୁଡ଼ା ଚାଷ ବିଷୟରେ ତାଲିମ ପାଇବା ପରେ ଗାଁରେ କରିଛନ୍ତି କୁକୁଡ଼ୁ ଫାର୍ମ । ଏଥିରୁ ଭଲ ଦୁଇପଇସା ମଧ୍ୟ ରୋଜଗାର କରୁଛନ୍ତି । କୁକୁଡ଼ା ଚାଷ ବିଷୟରେ ପ୍ରଥମେ କିଛି ଜାଣିନଥିବାବେଳେ ଚାଷରେ ଲାଭ କ୍ଷତିକୁ ନେଇ ସେମାନେ ଭୟ କରୁଥିଲେ । କୁକୁଡ଼ାକୁ ଖାଦ୍ୟ ଦେବା, ସେମାନଙ୍କ ଯତ୍ନ ନେବା ବିଷୟରେ ତାଲିମ ନେଇ କୁକୁଡ଼ା ଚାଷ କରୁଛନ୍ତି । ୪୫ ଦିନରେ ଦେଢକେଜିରୁ ଅଧିକ ଓଜନର କୁକୁଡ଼ା ବିକ୍ରି କରି ଲାଭବାନ ହେଉଛନ୍ତି ।

ଅଞ୍ଚଳକୁ ଦାଦନ ମୁକ୍ତ କରିବା ପାଇଁ ଲୋକଙ୍କୁ ସଚେତନ କରାଇଥିଲେ ଖପ୍ରାଖୋଲ ପ୍ରାଣୀଧନ ନିରୀକ୍ଷକ । ସରକାରୀ ଯୋଜନାର ଲାଭ ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ । ୫୦୦ ଟିକିଆ ବ୍ରଏଲର କୁକୁଡ଼ା ଫାର୍ମ କରିବା ପାଇଁ ସରକାରୀ ଯୋଜନାର ଅଟକଳ ମୂଲ୍ୟ ରହିଛି ୧ ଲକ୍ଷ ୮୦ ହଜାର ଟଙ୍କା । ଏଥିରେ ଲୋକଙ୍କୁ ୭୨ ହଜାର ଟଙ୍କା ଫ୍ରିରେ ମିଳୁଛି । ଲୋକଙ୍କ ମାନସିକତାରେ ପରିବର୍ତ୍ତନ କରିବା ପାଇଁ ଆଖପାଖ ଅଞ୍ଚଳରୁ ୫୦ ଜଣଙ୍କୁ ଲୋକଙ୍କୁ ନେଇ ପ୍ରଥମେ ଶପଥ ପାଠ କରାଯାଇଥିଲା । ଏହା ପରେ ସେମାନଙ୍କୁ ୫ଶହ ଟିକିଆ କୁକୁଡ଼ା ଚାଷ କରିବା ପାଇଁ ଯୋଜନା ମୁତାବିକ ଟଙ୍କା ଦିଆଯାଇଥିଲା । ଏ ବିଷୟରେ ଲୋକଙ୍କୁ ସଚେତନ କରାଇବା ଦ୍ୱାରା ଲୋକେ ଏହାର ଲାଭ ଉଠାଉଛନ୍ତି ।

ସେହିପରି ଡ଼ମଣିମାଲ ଗାଁର ତୁଳସୀ ଦାସ । ବାହାର ରାଜ୍ୟକୁ ଦାଦନ ଚାଲାଣ କରିବାକୁ ଯାଇ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ । କମ୍ପାନୀ ମାଲିକ ପଇସା ନଦେବାରୁ ଗାଁକୁ ଆସି କ’ଣ କରିବେ କ’ଣ ନକରିବେ ତାକୁ ନେଇ ଚିନ୍ତାରେ ପଡ଼ିଥିଲେ । ସରକାରୀ ଅନୁଦାନ ନେଇ କୁକୁଡ଼ା ଚାଷ କରି ବେଶ ଲାଭବାନ ହୋଇଥିବା କହିଛନ୍ତି କୁକୁଡ଼ା ଚାଷୀ ତୁଳସୀ ଦାସ ।  କରୋନା ମହାମାରୀ ପରେ ଜୀବିକା ହରାଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ ଖପ୍ରାଖୋଲ ବ୍ଲକର ଅନେକ ଲୋକ । ଏହି ଯୋଜନାର ଲାଭ ନେଇ ନିଜେ ରୋଜଗାର କରିବା ସହ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକେ ।