ସୁନ୍ଦରଗଡ଼ର ନିଆରା ଚାଷୀ । ଚାଷୀଙ୍କ ବିକାଶ ପାଇଁ ଜାରି ରଖିଛନ୍ତି ପ୍ରୟାସ । ଜୈବିକ ଚାଷକୁ ଦେଉଛନ୍ତି ଗୁରୁତ୍ୱ

119

କନକ ବ୍ୟୁରୋ: ସୁନ୍ଦରଗଡ଼ର ନିଆରା ଚାଷୀ ଉଦୟ ଚନ୍ଦ୍ର ପାତ୍ର । ଜୈବିକ ସାର ଓ କୀଟନାଶକ ପ୍ରୟୋଗ କରି ଦ୍ୱାରା କିଭଳି ଚାଷ ଓ ଚାଷୀର ଅଭିବୃଦ୍ଧି ହୋଇପାରିବ ସେଥିପାଇଁ ସେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ବିନା କୌଣସି ସରକାରୀ ସହାୟତାରେ ନିଜସ୍ୱ ଉଦ୍ୟମରେ ପ୍ରସ୍ତୁତ କରୁଛନ୍ତି ଜୈବିକ ଖତ ସାର । ନିମ୍ବ, କରଞ୍ଜ, ମହୁଲ, ଟୋଲ, ଆତ, ବେଲ, ବେଲ ପତ୍ର ଭଳି ୩୨ ପ୍ରକାର ଜିନିଷରେ ପ୍ରସ୍ତୁତ କରୁଛନ୍ତି ଜୈବିକ ଖତ । ଜିଆ ଖତ ଏବଂ ଜୈବିକ କୀଟନାଶକ ପ୍ରସ୍ତୁତ କରି ସ୍ଥାନୀୟ ଅଂଚଳରେ ସେ ଚର୍ଚ୍ଚାକୁ ଆସିଛନ୍ତି । ବାର୍ଷିକ ୩ ହଜାର ଟନ ଜୈବିକ ସାର ଓ କୀଟନାଶକ ଉତ୍ପାଦନ କରୁଛନ୍ତି ଉଦୟ । ଏହି ସାରର ଚାହିଦା ରାଜ୍ୟ ତଥା ରଜ୍ୟ ବାହାରେ ବଢୁଥିବାରୁ ଆଗକୁ ୫୦ ହଜାର ଟନ୍ ଜୈବିକ ସାର ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛନ୍ତି ଏହି ନିଆରା ଚାଷୀ ।

ଓଡ଼ିଶାର ପ୍ରତ୍ୟେକ ଚାଷୀ କିଭଳି ଜୈବିକ ପ୍ରଣାଳୀ ଆପଣେଇ ଅଧିକ ଉତ୍ପାଦନ କରିବେ ଓ ଲାଭ ପାଇବେ ତାଙ୍କର ଲକ୍ଷ୍ୟ ରହିଛି । ଲୋକେ କିଭଳି ବିଷମୁକ୍ତ ଖାଦ୍ୟ ଖାଇ ସୁସ୍ଥ ଜୀବନଯାପନ କରିବେ ସେଥିପାଇଁ ପରିଣତ ବୟସରେ ଜୈବିକ ସାର ଓ କୀଟନାଶକ ପ୍ରସ୍ତୁତ କରୁଛନ୍ତି । ଏହି ସାର ସମଗ୍ର ରାଜ୍ୟକୁ ଯୋଗାଇବା ସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇଛନ୍ତି ଚାଷୀ ଉଦୟ ଚନ୍ଦ୍ର ପାତ୍ର ।

କୃଷି ବିଜ୍ଞାନରେ ଅଧ୍ୟୟନ କିମ୍ବା କୌଣସି ଡିଗ୍ରୀ ନଥାଇ ବି ନିଜସ୍ୱ ଉଦ୍ୟମ ଓ ଦୃଢ ଇଛାଶକ୍ତି ତାଙ୍କୁ ଜଣେ କୃଷି ବିଶାରଦ ଭାବେ ପରିଚୟ ଦେଇଛି । ୩୦ ବର୍ଷ ତଳେ ପାହାଡ଼ ଓ ଟାଙ୍ଗରା ଭୂଇଁରେ ଧାନ, ପନିପରିବା ଓ ଫଳ ଚାଷ କରିଥିଲେ । ଏଥିପାଇଁ ସେ ରାଜ୍ୟ ତଥା ରାଜ୍ୟ ବାହାରେ ଜଣେ କୃଷି ଗବେଷକ ଭାବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ । ସେବେଠାରୁ ଉଦୟ ଆଉ ପଛକୁ ଫେରିନାହାନ୍ତି ।