ରାଜ୍ୟର ଜଙ୍ଗଲରେ ନିଆଁ ଲାଗିବା ପ୍ରସଙ୍ଗ । ବିଜେପିର ଅଭିଯୋଗ, କାମ୍ପା ଫଣ୍ଡ ଦୁର୍ନୀତି ଲୁଚାଇବା ପାଇଁ ଲଗାଯାଇଛି ନିଆଁ ।

105

କନକ ବ୍ୟୁରୋ: ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ କୁହୁଳୁଛି ରାଜନୀତି । ଆଉ ଶିମିଳିପାଳର ନିଆଁରେ ଘିଅ ଢ଼ାଳିଲା ଭଳି ବୟାନ ଦେଇ, ଉଭୟ ପ୍ରଶାସନ ଓ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । କେବଳ ସେତିକି ନୁହେଁ, ନିଆଁ ପଛରେ ସରକାର ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ । କାମ୍ପା ଫଣ୍ଡରେ ହୋଇଥିବା ଦୁର୍ନୀତି ଲୁଚାଇବା ପାଇଁ ଜଙ୍ଗଲରେ ନିଆଁ ଲଗାଯାଇଥିବା ଅଭିଯୋଗ କରିଛନ୍ତି ବାରିପଦାର ବିଜେପି ବିଧାୟକ ପ୍ରକାଶ ସୋରେନ୍ । ଯାହାକି ଶାସକ ଦଳକୁ ଘାଇଲା କରିଛି ।

ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲ ଜଳୁଥିବା ବେଳେ, ବିଳମ୍ବରେ ହେଲେ ସୁଦ୍ଧା ଜଙ୍ଗଲର ନିଆଁ ଏବେ ରାଜନୈତିକ ପ୍ରସଙ୍ଗ ହୋଇ ସାମ୍ନାକୁ ଆସିଛି । ଆଉ ଗୋଟିଏ ପାଦ ଆଗକୁ ଯାଇ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି ଯେ, ଗୋଟିଏ ବିଭାଗ ନିଆଁ ଲଗାଏ, ଆଉ ଗୋଟିଏ ବିଭାଗ ନିଆଁ ଲିଭାଏ । ନୂଆ କେନ୍ଦୁପତ୍ର ପାଇଁ ନିଜେ ନିଆଁ ଲଗାନ୍ତି ଏବଂ ପରେ ନିଜେ ନିଆଁ ଲିଭାନ୍ତି ବୋଲି ରାଜ୍ୟ ସରକାରଙ୍କୁ ଆକ୍ଷେପ କରିଛନ୍ତି । ଏପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କିନ୍ତୁ କହିଛନ୍ତି- ବିରୋଧୀ ଦଳର ଅଭିଯୋଗରେ କୌଣସି ଭିତ୍ତିିନାହିଁ ।

ଅନ୍ୟପଟେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଲିଖିତ ଭାବରେ ଜଣାଛନ୍ତି ବିଜେପିର ୪ ଜଣିଆ ବିଧାୟକ ଦଳ । ରାଜ୍ୟରେ ଏପର୍ଯ୍ୟନ୍ତ ୯୧୯ଟି ଜଙ୍ଗଲରେ ନିଆଁ ବ୍ୟାପିଥିବା, ବିଜେପି ବିଧାୟକମାନେ ମୁଖ୍ୟ ଶାସନ ସଚିବଙ୍କୁ ଜଣାଇଛନ୍ତି । ଏହାରି ଭିତରେ କିନ୍ତୁ ଜୈବ ବିଭିଧତା ପୂର୍ଣ୍ଣ ଶିମିଳିପାଳ ଜଙ୍ଗଲ ଜଳୁଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପିସିସିଏଫ୍ ଯାଇ ଘଟଣାସ୍ଥଳରେ ଅନୁଧ୍ୟାନ କରିବା ପରେ ଯେଉଁ ବୟାନ ରଖିଥିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । କାରଣ, ଅଭୟାରଣ୍ୟର କୋର୍ ଅଂଚଳରେ ନିଆଁ ଲାଗିଥିବା ବେଳେ ବଡ଼ ଗଛ ଜଳି ନାହିଁ କିମ୍ବା କୋର ଅଂଚଳରେ ନିଆଁ ଲାଗିନାହିଁ । ଆଉ ଏସବୁ ଭିତରେ କିନ୍ତୁ ଶିମିଳିପାଳ ପାଇଁ ସଂକଟ ବଢ଼ି ଚାଲିଛି ।