ଜଙ୍ଗଲ ନିଆଁ ଭିତରେ ‘କାମ୍ପା ଦୁର୍ନୀତି’! ବିଜେପି ନେତାଙ୍କ ଅଭିଯୋଗ, କେନ୍ଦ୍ର ଦେଉଛି ଟଙ୍କା, ନିଆଁ ଆଢୁଆଳରେ ହେଉଛି ଦୁର୍ନୀତି ।

124

କନକ ବ୍ୟୁରୋ: ଜଙ୍ଗଲ ନିଆଁରେ ବିଜେପି ଢ଼ାଳିଲା କାମ୍ପା ଦୁର୍ନୀତିର ଘିଅ । କେନ୍ଦ୍ରର ଟଙ୍କାକୁ ପକେଟରେ ପୂରାଇବା ପାଇଁ ନିଆଁକୁ ଅସ୍ତ୍ର କରୁଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ ଆଣିଛି ବିଜେପି । କେନ୍ଦ୍ର ସରକାର କାମ୍ପା ବୃକ୍ଷରୋପଣ ଯୋଜନାରରେ ଜଙ୍ଗଲ ବଢ଼ାଇବା ପାଇଁ ପଇସା ଦେଉଛି କିନ୍ତୁ ସେ ଟଙ୍କା ଚଳୁ ହୋଇଯାଉଛି ବୋଲି ବିଜେପି ନେତାମାନେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ବିଜେପି ନେତାଙ୍କ କହିବା ମୁତାବକ, ନୂଆ କେନ୍ଦୁପତ୍ର କଅଁଳିବା ପାଇଁ ଜଙ୍ଗଲରେ ଥିବା କେନ୍ଦୁପତ୍ର ବୁଦା ମାନଙ୍କରେ ଯେଉଁ ନିଆଁ ଲଗାଯାଉଛି, ସେଥିରେ ଆଖପାଖରେ ଥିବା ନୂଆ ଗଛ ବି ପୋଡ଼ି ଯାଉଛି ବୋଲି ବାହାନା କାଢ଼ି କାମ୍ପା ଟଙ୍କାକୁ ବନବିଭାଗ କର୍ମଚାରୀ ଆଉ ରାଜ୍ୟ ସରକାର ପକେଟରେ ପୂରାଇଦେଉଛନ୍ତି । ଆଉ ସବୁଜିମାର ସ୍ୱପ୍ନ ଧୂଳିସାତ୍ ହୋଇଯାଉଛି ଆଉ ଜଙ୍ଗଲ ସୁରକ୍ଷା ବା କ’ଣ ହେବ? କାମ୍ପା ଟଙ୍କାର ସଦୁପଯୋଗ ହୋଇପାରୁନଥିବାରୁ ଏମିତି ସ୍ଥିତି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଓ ପ୍ରକାଶ ସୋରେନ୍ ।

ଏପରିକି ଯେଉଁଠି କେନ୍ଦ୍ର ଦେଉଥିବା ଟଙ୍କାରେ ୫ ହଜାର ଗଛ ଲଗାଯିବା କଥା ସେଠି ଅଳ୍ପ କିଛି ଗଛ ଲଗାଇ ଦେଇ ଖସି ଯାଉଛନ୍ତି ବନଅଧିକାରୀର ବଡ଼ ବଡ଼ ବାବୁ । ଏ ଘଟଣା ଏବେକାର ନୁହେଁ ବର୍ଷ ବର୍ଷ ହେବ ଏମିତି କିଛି ଦୁର୍ନୀତି କରି ଚାଲିଛନ୍ତି ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତା ।