ମହିଳା ଦିବସରେ ତାମିଲନାଡୁର ନିର୍ବାଚନ ପ୍ରତିଶ୍ରୁତି । ଡିଏମକେର ବଡ ଘୋଷଣା, ସରକାର ଗଢିଲେ ରାସନ କାର୍ଡ ଥିବା ପ୍ରତି ପରିବାରର ମହିଳାଙ୍କୁ ଦିଆଯିବ ମାସିକ ଏକ ହଜାର ଟଙ୍କା ।

114

କନକ ବ୍ୟୁରୋ: ତାମିଲନାଡୁରେ ଡିଏମକେର ସରକାର ଗଠନ ହେଲେ ପ୍ରତି ପରିବାର ମହିଳା ମୁଖ୍ୟଙ୍କୁ ମାସିକ ଏକ ହଜାର ଟଙ୍କା ଦେବା ନେଇ ଦଳ ବିଧାନସଭା ନିର୍ବାଚନ ପାଇଁ ଜାରି କରିଥିବା ଘୋଷଣା ପତ୍ରରେ ଉଲ୍ଲେଖ କରିଛି । ପୂର୍ବରୁ ମାଗଣା ମଙ୍ଗଳସୂତ୍ର, ଗ୍ରାଇଣ୍ଡର ଯୋଜନା କାର୍ଯ୍ୟକାରୀ କରିଥିବା ଏହି ଦଳ ଏବେ ଗୃହିଣୀଙ୍କୁ ଟାର୍ଗେଟ କରିଛି । ରାସନ କାର୍ଡଧାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଲଖ ୧ ହଜାର ଟଙ୍କା ଦେବା ନେଇ ଘୋଷଣା କରିଛି ଡିଏମକେ । ତାମିଲନାଡୁର ସାମଗ୍ରିକ ବିକାଶ କରିବା ପାଇଁ ୧୦ ବର୍ଷିୟ ଭିଜନ ଡକ୍ୟୁମେଂଟ ଜାରି କରିଛନ୍ତି ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ୍ । ଏଥିରେ ମୁଖତଃ ୭ଟି ଦିଗକୁ ଗୁରୁତ୍ୱ ଦିଆଯାଇଛି । ଡିଏମକେର ଏହି ବିକାଶ ଚିଠାରେ ରହିଛି ଅର୍ଥନୀତି, କୃଷି, ଜଳ ସମ୍ପଦ, ଶିକ୍ଷା ଓ ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ଗ୍ରାମାଂଚଳ ଭିତ୍ତିିଭୂମି ବିକାଶ ଓ ସାମାଜିକ ନ୍ୟାୟ ।

ତାମିଲନାଡୁରେ ପ୍ରାୟ ୨ କୋଟି ୬୦ ଲକ୍ଷ ରାସନ କାର୍ଡଧାରୀ ରହିଛନ୍ତି । ତେଣୁ ଷ୍ଟାଲିନଙ୍କ ଘୋଷଣା ଅନୁସାରେ ଆର୍ଥିକ ସହାୟତା ଦେଲେ ବର୍ଷକୁ ରାଜ୍ୟ ସରକାରଙ୍କୁ ପ୍ରାୟ ୨୬ ହଜାର କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡିବ । ଏହା ଏସସି-ଏସଟି ଛାତ୍ରଛାତ୍ରୀଙ୍କ ବୃତ୍ତି ରାଶିକୁ ଦୁଇଗୁଣ କରାଯିବ  । ପ୍ରତି ବର୍ଷ ୧୦ ଲକ୍ଷ ନୂଆ ନିଯୁକ୍ତି ଏବଂ ବ୍ୟକ୍ତିଗତ ଆୟ ବାର୍ଷିକ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଦଳ ଘୋଷଣା କରିଛି ।

ତେବେ ଅଭିନେତାରୁ ରାଜନେତା ସାଜିଥିବା କମଲ ହାସନ, ଡିଏମକେର ଭିଜନ ଡକ୍ୟୁମେଂଟକୁ ନେଇ ସମାଲୋଚନା କରିଛନ୍ତି । ତାଙ୍କ ଘୋଷଣାପତ୍ରକୁ ଚୋରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ବିଜେପି ମଧ୍ୟ ସମାନ ଢଙ୍ଗର ଅଭିଯୋଗ ଆଣିଛି ଏବଂ ଦଳ କହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାର ନକଲ କରାଯାଇ ଏହି ଇସ୍ତାହାର ପ୍ରସ୍ତୁତ କରାଯାଇଛି । ସାଧାରଣ ଲୋକଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଇସ୍ତାହାର ଏକ ନୂଆ ତାମିଲନାଡୁ ଗଠନର ମୂଳଦୂଆ ପକାଇଛି ବୋଲି ଡିଏମକେ ପକ୍ଷରୁ କୁହାଯାଇଛି । ଅତୀତରେ ତାମିଲନାଡୁର ବହୁ ଯୋଜନାର ଅନୁରୂପ ଯୋଜନା ଓଡିଶାରେ ଦେଖିବାକୁ ମିଳିଛି । ଏବେ ଡିଏମକେର ଏହି ନୂଆ ଯୋଜନାର ଛାପ ରାଜ୍ୟ ରାଜନୀତିରେ କେବେ ପ୍ରତିଫଳିତ ହେଉଛି, ତାହା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।