ରାଜନୀତି ପାଇଁ ସୁର ଘରେ କଳି! ସାନଭାଇକୁ କଟାକ୍ଷ କଲେ ବଡଭାଇ

428

କନକ ବ୍ୟୁରୋ: ରାଜନୀତି ପାଇଁ ସୁର ଘରେ କଳି ।  ବଡ ପୁଅ  କଂଗ୍ରେସରେ ଥିବାବେଳେ ସାନପୁଅ ମନ୍ମଥ ରାଉତରାୟ ବିଜେଡିରେ ମିିଶି  ଭୁବନେଶ୍ୱର ଲୋକସଭା ଆସନକୁ ସିଧା ଟିକେଟ ପାଇଛନ୍ତି । ଏହାପରେ   ମନ୍ମଥଙ୍କୁ କଟାକ୍ଷ କରିଛନ୍ତି ବଡ ଭାଇ ସିଦ୍ଧାର୍ଥ ।  କହିଛନ୍ତି, ଅରୂପ ପଟ୍ଟନାୟକଙ୍କ ଭଳି ବୁଡିବେ ମନ୍ମଥ ।

ଲାଗୁଛି, ରାଜନୀତି ପାଇଁ କଂଗ୍ରେସର ବରିଷ୍ଠ ନେତା  ସୁର ରାଉତରାୟଙ୍କ ଘରେ ସବୁ କିଛି ଠିକଠାକ ଚାଲିନାହିଁ । ଏ କଥା ଆମେ କହୁନାହୁଁ  ବରଂ ସୁରଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ମନ୍ତବ୍ୟରୁ କିଛି ଏଭଳି ସଙ୍କେତ ମିଳିଛି ।  ସୁରଙ୍କ ସାନପୁଅ ମନ୍ମଥ ରାଉତରାୟ ବୁଧବାରଦିନ  ବିଜେଡିରେ ମିଶିବାର ଦୁଇ ଘଂଟା ପରେ ଭୁବନେଶ୍ୱର ଲୋକସଭା ଆସନ ପାଇଁ ଟିକେଟ ମିଳିଯାଇଥିଲା । ଟିକେଟ ମିଳିବା ପରେ ମନ୍ମଥ କହିଥିଲେ, ବିଜୁ ଓ ନବୀନଙ୍କ ଆଦର୍ଶ ତାଙ୍କୁ ପ୍ରଭାବିତ କରିଛି । କିନ୍ତୁ ମନ୍ମଥଙ୍କୁ କଟାକ୍ଷ କରିଛନ୍ତି ବଡଭାଇ ସିଦ୍ଧାର୍ଥ ରାଉତରାୟ  । ୬୦ ବର୍ଷର ଇଜ୍ଜତ ଗଲା । ଭାଇ ବୁଡିବ ଅରୂପ ପଟ୍ଟନାୟକଙ୍କ ଭଳି ଅବସ୍ଥା ହେବ ବୋଲି ସିଦ୍ଧାର୍ଥ କହିଛନ୍ତି ।

ବୁଧବାରଦିନ  ମନ୍ମଥ ରାଉତରାୟଙ୍କ ରାଲି  ପାଇଁ କର୍ମୀଙ୍କୁ ଭୋଜିକରି ଖୁଆଇଥିଲେ ସୁର ରାଉତରାୟ । ପୁଅର ମିଶ୍ରଣ ପର୍ବ ରାଲି ପାଇଁ କର୍ମୀ ବି ଯୋଗାଡ କରିଥିଲେ । ତେବେ ଏହି ଭୋଜିରେ  ସିଦ୍ଧାର୍ଥ ରାଉତରାୟଙ୍କ ଦେଖା ମିଳିନଥିଲା । ମନ୍ମଥ ବିଜେଡିରେ ମିଶିବା ପରେ  ସୁର କୋହଭରା କଣ୍ଠରେ କହିଥିଲେ, ଯେତେ ଚେଷ୍ଟାକଲି ପାରିଲିନାହିଁ  ଅଭିମାନ କଲା ପାରିଲି ନାହିଁ, ବିଜେଡିରେ ମିଶିବାକୁ ଛାଡିଦେଲି । ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ପୁଅ ଜିତିଯାଉ । ଚର୍ଚ୍ଚା ହେଉଛି, ଦଳ ମୋହ ଆଗରେ ସୁରଙ୍କ ପୁତ୍ର ମୋହ ଭାରି ପଡିଗଲା କି?  ତେବେ ଏହା କେବଳ ଦେଖାଇବା ପାଇଁ ନା ସୁରଙ୍କ ମନରେ ଆଉ କିଛି ଅଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ମନ୍ମଥ ରାଉତରାୟ ବିଜେଡି ପ୍ରାର୍ଥୀ ହେବା ପରେ ସୁର ରାଉତରାୟ ପୁଅ ପାଇଁ ପ୍ରଚାର କରିବେ ନା କଂଗ୍ରେସ ପାଇଁ , ତାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ସୁରଙ୍କ ଘର କଳି ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ଆଉ ସାନପୁଅ ବିଜେଡିରେ ମିଶିବା ପରେ କଂଗ୍ରେସର ସବୁ ପଦରୁ ଇସ୍ତଫା ଦେଇଛନ୍ତି ସୁର ରାଉତରାୟ । କୁହାଯାଉଛି, ସୁରଙ୍କୁ  କାରଣଦର୍ଶାଅ ନୋଟିସ ବି ଜାରି କରିପାରେ କଂଗ୍ରେସ ।