ଖୁବଶୀଘ୍ର ଘୋଷଣା ହୋଇପାରେ ବିଜେପିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା: ସମ୍ଭାବ୍ୟ ତାଲିକା ଧରି ଦିଲ୍ଲୀରେ ଅଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ

114

କନକ ବ୍ୟୁରୋ: ଓଡିଶା ବିଜେପି ଟିକେଟ ପାଇଁ ଦିଲ୍ଲୀରେ ହଲଚଲ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଆଜି ରାତିରେ ବସୁଛି କେନ୍ଦ୍ରୀୟ ବିଜେପିର କୋର ଗ୍ରୁପ ବୈଠକ । ଆଉ ଏହି ବୈଠକରେ ଓଡିଶାର ବିଜେପି ଟିକେଟ୍ ନେଇ ଚୂଡାନ୍ତ ହୋଇପାରେ । ପୂର୍ବରୁ ଭାରତୀୟ ଜନତା ପାର୍ଟି କେବଳ ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ବାକିଥିବା ୩ ଲୋକସଭା ସମେତ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁରେ ବଜିବ ମୋହର । ଏହାପରେ ବିଜେପି ଘୋଷଣା କରିପାରେ ବିଧାନସଭା ପ୍ରାର୍ଥୀ ତାଲିକା । ବିଧାନସଭା ଓ ବାକି ଥିବା ଲୋକସଭା ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିବା ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଯାଇଛନ୍ତି । ତାଙ୍କ ସହ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ବି ଦିଲ୍ଲୀ ଗସତେର ଅଛନ୍ତି । ଆଜି ଉଭୟ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱ ସହ ଆଲୋଚନା କରିଛନ୍ତି । ବିଧାନସଭା ପ୍ରାର୍ଥୀ ତାଲିକା ସହ ବାକିଥିବା ୩ ଲୋକସଭା ଆସନ, ଯାଜପୁର, କଟକ ଓ କନ୍ଧମାଳ ଟିକେଟ ନେଇ ପ୍ରାର୍ଥୀଙ୍କ ବିଷୟରେ ଆଲୋଚନା ହେବାର ଅଛି । ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଆଜି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ । ବୈଠକ ସରିବା ପରେ ଓଡ଼ିଶାର ପ୍ରାୟ ଶହେ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ । ଦିନେ ବା ଦୁଇଦିନ ଭିତରେ ପ୍ରାର୍ଥୀ ତାଲିକା ଆସିପାରେ । ସବୁ ସିଟ୍ ଉପରେ ତର୍ଜମା ଓ ସମୀକ୍ଷା ସରିଛି । କେବଳ କେନ୍ଦ୍ରୀୟ ନିର୍ବାଚନ କମିଟିର ମୋହର ବାଜିବା ବାକି ଅଛି । ତେଣୁ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କ ନାଁକୁ ବିଚାର କରି ଚୂଡାନ୍ତ ପ୍ରାର୍ଥୀ ତାଲିକାରେ ମୋହର ମାରିବ କେନ୍ଦ୍ରୀୟ ବିଜେପିର କୋର ଗ୍ରୁପ । ବିଜେଡି ୧୫ଟି ଲୋକସଭା ଓ ୭୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବାରୁ ବିଜେପି ଆଉ ବିଳମ୍ବ କରିବାକୁ ଚାହୁଁନାହିଁ ।