ଟିକେଟ ମିଳିବା ପରେ ଭଗବାନଙ୍କ ଶରଣରେ ନେତା: ମହାପ୍ରଭୁଙ୍କ ଦର୍ଶନ କରି ଆରମ୍ଭ କଲେ ପ୍ରଚାର

72

କନକ ବ୍ୟୁରୋ: ବିଶ୍ୱାସ ରହିଛି ଭଗବାନଙ୍କ ଦର୍ଶନ କରି, ପୂଜାର୍ଚ୍ଚନା କରି, ଯେ କୌଣସି କାର୍ଯ୍ୟ ଆରମ୍ଭ କଲେ ଶୁଭ ହୋଇଥାଏ । କାର୍ଯ୍ୟ ସଫଳ ହୋଇଥାଏ । ଏବେ ସେହି ବିଶ୍ୱାସର ଝଲକ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି । ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଥିବା ନେତାଙ୍କୁ ଟିକେଟ ମିଳିବା ପରେ ସେମାନେ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କ ଆଶିଷ ନେଇଛନ୍ତି ।

ବିଜେଡିରୁ ହେଉ କି ବିଜେପିରୁ, ଲୋକସଭା ଓ ବିଧାନସଭା ଟିକେଟ ମିଳିବା ପରେ ନେତା ଏବେ ଶ୍ରୀକ୍ଷେତ୍ର ମୁହାଁ । ଶ୍ରୀମନ୍ଦିରରେ ଶ୍ରଜୀଉଙ୍କ ଦର୍ଶନ କରି ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି ଜଣଙ୍କ ପରେ ଜଣେ, ଉଭୟ ଦଳର ନେତା ।

ହାଇଭୋଲଟେ ଲୋକସଭା କ୍ଷେତ୍ର ଭୁବନେଶ୍ୱରରୁ ଟିକେଟ ମିଳିବା ପରେ, ପରସ୍ପରର ପ୍ରତିଦ୍ୱନ୍ଦୀ ହେବାକୁ ଯାଉଥିବା ଦୁଇ ନେତା, ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଭୁବନେଶ୍ୱରରୁ ଲଢ଼ିବା ପାଇଁ ବିଜେପି ନେତୃତ୍ୱ ଦ୍ୱିତୀୟ ଥର ସୁଯୋଗ ଦେଇଥିବାରୁ ମହାପ୍ରଭୁଙ୍କ ଆର୍ଶୀବାଦ ନେଇ ପ୍ରଚାର ଆରମ୍ଭ କରିଛନ୍ତି । ସେହିପରି ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ମନ୍ମଥ, ଭାଗ୍ୟ ପରୀକ୍ଷା ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ଶରଣ ପଶିଛନ୍ତି ।

ବିଜେଡି ସାଂଗଠନିକ ସମ୍ପାଦକରୁ ସମ୍ବଲପୁର ସାଂସଦ ପ୍ରାର୍ଥୀ ହୋଇଥିବା, ପ୍ରଣବ ପ୍ରକାଶ ଦାସ, ମଧ୍ୟ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପୁରୀ ପରେ ଯାଜପୁର ଯାଇ ଅଧିଷ୍ଠାତ୍ରୀ ଦେବା ମାଆ ବିରଜାଙ୍କ ପୂଜାର୍ଚ୍ଚନା କରି ଆଶିଷ ନେଇଛନ୍ତି । ବିଜେଡିର ପୁରୀ ବିଧାନସଭା ପ୍ରାର୍ଥୀ ସୁନୀଲ ମହାନ୍ତି, ସତ୍ୟବାଦୀ ବିଧାନସଭା ପ୍ରାର୍ଥୀ ସଞ୍ଜୟ ଦାସବର୍ମା ବଡଦେଉଳକୁ ଯାଇ ବଡଠାକୁରଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ସହ ଆର୍ଶୀବାଦ ନେଇଛନ୍ତି ।