ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ନକଲି ନୋଟ୍ କାରବାରର ପର୍ଦ୍ଦାଫାଶ : ଆମ୍ବୁଲାନ୍ସରୁ ଜବତ ହେଲା ୨୫ କୋଟିର ନକଲି ନୋଟ୍

71

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାରି ଭିତରେ ରାଜ୍ୟରେ ନକଲି ନୋଟ୍ ର୍ୟାକେଟର ପର୍ଦ୍ଦାଫାଶ ହୋଇଛି । ଆମ୍ବୁଲାନ୍ସରେ ୨୫ କୋଟି ଟଙ୍କାର ନକଲି ନୋଟ୍ ଲୁଚାଇ ନେଇ ଯାଉଥିବା ବେଳେ ଗୁଜରାଟ ପୋଲିସ ଏହାକୁ ଜବତ କରିଛି । ଏହି ନୋଟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବଦଳରେ ରିଭର୍ସ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲେଖା ହୋଇଛି । ଯାହା ସମସ୍ତଙ୍କୁୁ ଆଶ୍ଚର୍ଯ୍ୟ କରିଛି । ତେବେ ଏତେ ସବୁ ନକଲି ନୋଟ୍ କେଉଁଠି ଛପା ଯାଉଥିଲା ଏବଂ କାହାକୁ ପଠାଯାଉଥିଲା, ସେ ନେଇ ତଦନ୍ତ ଚାଲିଛି ।

ସୁରଟର ଏସପି ହିତେଶ ଜୟସାର କହିଛନ୍ତି ଯେ ଅହମ୍ମଦାବାଦ-ମୁମ୍ବାଇ ରାଜପଥରେ କିଛି ଲୋକ ଜାଲ ନୋଟ୍ ନେଇ ଯାଉଥିବା ସୂଚନା ମିଳିଥିଲା । ସୂଚନା ପାଇ ଗାଡ଼ି ଗୁଡ଼ିକୁ ଯାଞ୍ଚ କରିଥିଲା ପୋଲିସ । ଏକ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଉପରେ ସହେନ୍ଦ ହେବାରୁ ପୋଲିସ ଗାଡ଼ିକୁ ଯାଞ୍ଚ କରିଥିଲା । ଆଉ ଗାଡ଼ି ଭିତରୁ ୬ଟି ବଡ଼ ବଡ଼ ବାକ୍ସ ମିଳିଥିଲା । ଏହି ବାକ୍ସରେ ବିଡ଼ା ବିଡ଼ା ନକଲି ନୋଟ ରଖାଯାଇଥିଲା ।

ବାକ୍ସରେ ୧୨୯୦ ଖଣ୍ଡ ୨ହଜାର ଟଙ୍କିଆ ନୋଟର ପ୍ୟାକେଟ୍ ମିଳିଛି, ଯାହାର ମୂଲ୍ୟ ୨୫ ଦଶମିକ ୮୦ କୋଟି ଟଙ୍କା । ଗଣିବା ସମୟରେ ଗୋଟିଏ ବି ନକଲି ବୋଲି ଲାଗୁନଥିଲା । ଡିସେମ୍ବରରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ । ଆଉ ଏହା ପୂର୍ବରୁ ନକଲି ନୋଟ କାରବାର ରାଜନୈତିକ ଦଳଗୁଡ଼ିକୁ ଆରୋପ ପ୍ରତ୍ୟାରୋପ କରିବାର ଖୋରାକ ଯୋଗାଇଛି ।