କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ : ଆଜି ନାମାଙ୍କନର ଶେଷଦିନ; ଦୌଡ଼ରେ ସାମିଲ ୬ ନେତା

109

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଲାଗି ରହିଥିବା ହଲଚଲ ଶୁକ୍ରବାର ଶେଷ ହେବାର ସମ୍ଭାବନା ରହିଛି । ଆଜି ଅର୍ଥାତ ସେପ୍ଟେମ୍ବର ୩୦ ତାରିଖ ହେଉଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ଏହାରି ଭିତରେ ୬ ଜଣ ନେତା ଏହି ଦୌଡ଼ରେ ସାମିଲ ହୋଇପାରନ୍ତି । ତାଲିକାର ଶୀର୍ଷରେ ଜି-୨୩ ଏବଂ ଗାନ୍ଧୀ ପରିବାରର ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ଶଶୀ ଥରୁର, ଦଳୀୟ ଅନୁଗତ ଦିଗବିଜୟ ସିଂ, ମଲ୍ଲିକାର୍ଜୁନ ଖଡଗେ ଏବଂ କୁମାରୀ ସେଲଜା ନାମାଙ୍କନ ଦାଖଲ କରିପାରନ୍ତି ।

ତେବେ ଏ ପ୍ରସଙ୍ଗରେ ଦଳର ମୁଖପାତ୍ର ପବନ ଖେରା କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ଗାନ୍ଧୀ ପରିବାର ପାଇଁ ସବୁଠାରୁ ଫିଟ୍ ପ୍ରାର୍ଥୀ କୁହାଯାଉଥିବା ଅଶୋକ ଗେହଲଟ୍ ଏହି ଦୌଡ଼ରୁ ବାଦ୍ ପଡ଼ିଛନ୍ତି । ଗେହଲଟଙ୍କ ସ୍ଥାନରେ ଦଳିତ ନେତା ମୁକୁଲ ୱାସନିକ ପ୍ରାର୍ଥୀ କରାଯିବା ନେଇ ଆଲୋଚନା ହେଉଛି । କିନ୍ତୁ ସେ ନାମାଙ୍କନ ଦାଖଲ କରିବେ ନା ନାହିଁ, ସେ ନେଇ ନିଷ୍ପତି ହୋଇନାହିଁ । ଏଭଳି ସ୍ଥିତିରେ ଦଳର ସଭାପତି ନିର୍ବାଚନ ବେଶ୍ ରୋଚକ ହେବାକୁ ଯାଉଛି । ଗେହଲଟ୍ ଗୁରୁବାର ନିଜକୁ ଅଧ୍ୟକ୍ଷ ପଦ ଦୌଡ଼ରୁ ହଟାଇ ଦଳୀୟ ହାଇକମାଣ୍ଡଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ ।

ବାସ୍ତବରେ ଗେହଲଟ୍ ରାଜସ୍ଥାନ ଛାଡ଼ିବାକୁ ଚାହୁଁନଥିଲେ ଏବଂ ଯଦି ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥାନ୍ତେ ତେବେ ମୁଖ୍ୟମନ୍ତ୍ରୀ ପଦରେ ମଧ୍ୟ ରହିବାକୁ ଚାହିଁଥାନ୍ତେ । ଏଥିପାଇଁ ସେ ହାଇକମାଣ୍ଡଙ୍କ ପାଖରେ ସର୍ତ ରଖିଥିଲେ ଏବଂ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ନିବୃତ ରଖିବା ପାଇଁ ଯଥା ସମ୍ଭବ ଉଦ୍ୟମ କରିଥିଲେ । ଆଉ ଶେଷରେ ସେ ହାଇକମାଣ୍ଡଙ୍କ ବିଶ୍ୱାସ ଭାଙ୍ଗିଥିବା କୁହାଯାଉଛି । ସେପଟେ ଅଶୋକ ଗେହଲଟଙ୍କ ମୁଖ୍ୟମନ୍ତ୍ରୀ ଆସନ ଉପରେ ବିପଦର ସାୟା ଦେଖା ଦେଇଛି । ତାଙ୍କ ପଦକୁ ନେଇ ଯେଉଁ ସସପେନ୍ସ ରହିଛି, ତାହା ଆଗାମୀ କିଛି ଦିନରେ ସ୍ପଷ୍ଟ ହୋଇଯିବ ।