ଆଜି ବିଧାନସଭା କମିଟି ଆଗରେ ହାଜର ହୋଇପାରନ୍ତି ଅଭିଜିତ ଆୟାର: ବିଧାୟକଙ୍କ ବିରୋଧରେ କଟୁ ମନ୍ତବ୍ୟକୁ ନେଇ ନୋଟିସ୍ କରିଥିଲା କମିଟି
କନକ ବ୍ୟୁରୋ : ଆଜି ବିଧାନସଭାର ଗୃହ କମିଟି ସମ୍ମୁଖରେ ହାଜର ହୋଇ ପାରନ୍ତି ଅଭିଜିତ ଆୟାର ମିତ୍ର। ଏଥିପାଇଁ ତାଙ୍କୁ କଡ଼ା ସୁରକ୍ଷା ଯୋଗାଇ ଦେବାକୁ ପୁଲିସ କମିସନର୍ ସତ୍ୟଜିତ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି। ଅଭିଜିତ ଓଡ଼ିଶାର କଳା ସଂସ୍କୃତି ଓ ବିଧାୟକମାନଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ। ଏହା ପରେ ଭୁବନେଶ୍ବରର ସହିଦନଗର ଥାନା ଓକୋଣାର୍କ ଥାନାରେ ମାମଲା ରୁଜୁ କରାଯିବା ସହିତ ଗୃହ କମିଟି ଅଭିଜତଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟ ଜନକ ଭାବେ ଅଭିଜିତ ନା ଗୃହ କମିଟି ନିକଟରେ ହାଜର ହୋଇଥିଲେ ନା ଥାନାରେ। ପରେ କିନ୍ତୁ ମେଲ୍ ଯୋଗେ ଓ ଟୁଇଟ୍ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ। ତେଣୁ ଗୃହ କମିଟି ତାଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୟ ଦେଇଥିଲେ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଅଭିଜିତ ଅଣ ଓଡ଼ିଆ ହୋଇ କୋଣାର୍କ ମନ୍ଦିର, ଓଡ଼ିଶା, ଓଡ଼ିଆ ଓ ବିଧାୟକମାନଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି କାରଣରୁ ସେ ଭୁବନେଶ୍ବର ଆସିବାବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଅଭିଜିତଙ୍କ ପକ୍ଷରୁ ସୁରକ୍ଷା ପାଇଁ ଅନୁରୋଧ କରାଯିବା ପରେ କମିସନରେଟେ ପୁଲିସ ପକ୍ଷରୁ ସମସ୍ତ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି କହିଛନ୍ତି।
ଅନ୍ୟପକ୍ଷରେ ଅଭିଜିତଙ୍କ ଅନ୍ତରୀଣ ଜାମିନ୍ ଅବଧି ଚଳିତ ମାସ ୫ ତାରିଖରୁ ଶେଷ ହୋଇଥିବାବେଳେ ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ତାଙ୍କ ପାଇଁ ଜେଲ୍ ହିଁ ସୁରକ୍ଷିତ ସ୍ଥାନ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେଇଥିଲେ। କୋର୍ଟଙ୍କ ନିର୍ଦେଶ ମୁତାବକ,ଗତ ୫ ତାରିଖରେ ଅଭିଜିତ କୋଣାର୍କ ଥାନାରେ ହାଜର ହେବା କଥା। ସେହିପରି ବିଧାୟକମାନଙ୍କ ବିରୋଧରେ ବ୍ୟବହାର କରିଥିବା ଅପଶବ୍ଦକୁ ନେଇ ଗତ ୧୧ ତାରିଖରେ ଗୃହ କମିଟିରେ ହାଜର ହେବା କଥା। କିନ୍ତୁ ତିତିଲି ବାତ୍ୟା କାରଣରୁ ସେ ହାଜର ହୋଇ ପାରି ନ ଥିଲେ। ପରେ ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ କ୍ଷମା ମାଗିବା ସହିତ ଟୁଇଟ୍ ମଧ୍ୟ କରିଥିଲେ।