ବୟସ ୨୩, ଓଜନ ୧୫୦ କେଜି, ଥ୍ରୀ ଷ୍ଟାର ବର୍ଦ୍ଦିରେ କରୁଥିଲେ ଟୋଲ ଆଦାୟ । ଓଜନ ଦେଖି ସନ୍ଦେହ କଲା ପୋଲିସ

152

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଫିରୋଜାବାଦରେ ଘଟିଛି ଏକ ମଜାଳିଆ ଘଟଣା । ଜଣେ ଯୁବକ ଥ୍ରୀ ଷ୍ଟାର ଥିବା ପୋଲିସ ୟୁନିଫର୍ମ ଦେଖି ଯାନ ବାହାନରୁ ଟୋଲ ଆଦାୟ କରୁଥିଲା । ତା’ସହ ଦୁଇ ତିନି ଜଣ ସହଯୋଗୀ ମଧ୍ୟ ଟୋଲ ଆଦାୟ କରୁଥିଲେ । ଏହାକୁ ଦେଖି କିଛି ବ୍ୟକ୍ତି ଜନପଦ ଟୁୁଣ୍ଡଲା ପୋଲିସରେ ଅଭିଯୋଗ କରିଥିଲେ । କିଛି ଦିନ ଅନୁଧ୍ୟାନ କରିବା ପରେ ପୋଲିସ ହାତରେ ଲାଗିଛି ଏହି ନକଲି ପୋଲିସ ।

ସୂଚନା ମୁତାବକ, ଗାଜିଆବାଦ ଜିଲ୍ଲା ସାହିବାବାଦ ଥାନା ଅଞ୍ଚଳରେ ରହୁଥିବା ଯୁବକ ମୁକେଶ ଯାଦବ ନିଜର କିଛି ସହଯୋଗୀଙ୍କୁ ନେଇ ନ୍ୟାସନାଲ ହାଇୱେ ନମ୍ବର-୨ର ରାଜା ତୌଲି ଅଞ୍ଚଳର ଉସାଇନି ଗାଁ ନିକଟରେ ବସ୍ ଓ ଟ୍ରକ୍ ଠାରୁ ଜବରଦସ୍ତି ଟୋଲ ଆଦାୟ କରୁଥିଲା । ମୁକେଶ ଏକ ୱାଗନର କାରରେ ବସି ରହୁଥିଲା । ଓ ତା’ର ସହଯୋଗୀ ମାନେ ଗାଡିରୁ ଟଙ୍କା ଆଦାୟ କରୁଥିଲେ । ଦିନେ ସେହିପଟେ ଯାଉଥିଲେ ଫିରୋଜାବାଦ୍ ପୋଲିସ ଜଣେ ଅଧିକାରୀ । ରାସ୍ତାକଡରେ ଏକ ୱାଗନର କାରରେ ଜଣେ ପୋଲିସ ଅଧିକାରୀ ବସିଥିବା ଦେଖିଥିଲେ । ଗାଡିରୁ ଓହ୍ଲାଇ ତା’ର ପୋଷ୍ଟିଙ୍ଗ କଥା ପଚାରିଥିଲେ । ଏହାପରେ ତାଙ୍କୁ ନିଜ ପରିଚୟ ପତ୍ର ମାଗିବାରୁ ନକଲି ପରିଚୟ ପତ୍ର ଦେଖାଇଥିଲା । ପୋଲିସ ଅଧିକାରୀ ଜଣକ ଯୁବକର ଶରୀରର ଓଜନ ଦେଖି ସନ୍ଦେହ କରିବାରୁ ନାଲି ଆଖି ଦେଖାଇଥିଲେ । ଫଳରେ ସବୁ ସତ ମାନିଯାଇଥିଲା ଯୁବକ ।

ଥ୍ରୀଷ୍ଟାର ଥିବା ପୋଲିସ ବର୍ଦ୍ଦି ପିନ୍ଧି ଯୁବକ ଜଣକ ପ୍ରତିଦିନ ହାଇୱେରୁ ଗାଡିଗୁଡିକରୁ ବଟି ଆଦାୟ କରୁଥିଲା ।