ନୂଆ ଟିମ୍ ସହିତ ଜୁଲାଇ ୧୪ ରେ ପୁଣିଥରେ ବୈଠକ କରିବେ ମୋଦୀ । କରୋନା ସ୍ଥିତି ନେଇ ହୋଇପାରେ ଆଲୋଚନା

120

କନକ ବ୍ୟୁରୋ : ପୂର୍ବ ସପ୍ତାହରେ ମୋଦୀଙ୍କ କ୍ୟାବିନେଟ ବିସ୍ତାର ପରେ ଦିଲ୍ଲୀ ରାଜନୀତି ସରଗରମ ରହିଛି । ଏହାରି ମଧ୍ୟରେ ଜୁଲାଇ ୧୪ ରେ ଦ୍ୱିତୀୟଥର ପାଇଁ ନିଜ ଟିମ୍ ସହ ପ୍ରଧାନମନ୍ତ୍ରୀ ପୁଣିଥରେ ବୈଠକ କରିବେ ବୋଲି ସୂଚନା ମିଳିଛି । ଏହାପୂର୍ବରୁ ଜୁଲାଇ ୮ ତାରିଖରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ସମସ୍ତ ମନ୍ତ୍ରୀଙ୍କ ସହ ବୈଠକ କରିଥିଲେ । ହେଲେ ଆଗମୀ ବୈଠକରେ କେଉଁ ମୁଦ୍ଦା ଉପରେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇ ନାହିଁ । ହେଲେ ଅନୁମାନ କରାଯାଉଛି କି, କରୋନା ସ୍ଥିତି ଉପରେ ଆଲୋଚନା ହୋଇପାରେ ।

କହିରଖୁ କି ଦେଶର କରୋନାର ଦ୍ୱିତୀୟ ଲହର ଟିକେ କମିଥିଲେ ବି କିଛି ରାଜ୍ୟରେ ଏବେ ବି କରୋନା ସଂକ୍ରମଣ ପିକ୍ ରେ ରହିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିବା ସହ ୬ ଟି ରାଜ୍ୟକୁ ଏହାର କାରଣ ଓ ନିରାକରଣ ବାବଦରେ ଅନୁଧ୍ୟାନ କରିବାକୁ କେନ୍ଦ୍ରୀୟ ଟିମ୍ ପଠାଇଥିଲେ । ଜୁଲାଇ ୮ରେ ହୋଇଥିବା ବୈଠକରେ ବି ପ୍ରଧାନମନ୍ତ୍ରୀ କରୋନା ସଂକ୍ରମଣକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଲୋକମାନଙ୍କୁ ସାମାଜିକ ଦୂରତା, ମାସ୍କ ପିନ୍ଧିବା ନେଇ ଉପଦେଶ ଦେଇଥିଲେ ।

ସୂଚନା ଥାଉକି, ଜୁଲାଇ ୮ ତାରିଖରେ ହୋଇଥିବା କ୍ୟାବିନେଟ ବୈଠକରେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ମନ୍ତ୍ରୀ ମାନଙ୍କୁ ଗଣମାଧ୍ୟମରେ ଅନାବଶ୍ୟକ ମନ୍ତବ୍ୟ ଦେବାକୁ ବାରଣ କରିଥିଲେ । ସେ କହିଥିଲେ କି କେବଳ ନିଜ ମନ୍ତ୍ରଣାଳୟ ବ୍ୟତୀତ ଅନ୍ୟ କୌଣସି ବାବଦରେ ମନ୍ତ୍ରବ୍ୟ ନଦେବାକୁ କହିବା ସହ ନିଜ ମନ୍ତ୍ରଣାଳୟ ଉପରେ ଫୋକସ କରିବାକୁ ସେ ଉପଦେଶ ଦେଇଥିଲେ ।