ଠିକାଦାରଙ୍କ ବଡଧରଣର ଚଞ୍ଚକତା : ନବରଙ୍ଗପୁରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କା ହଡପ ଅଭିଯୋଗ

95

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି କଳି ଭିତରେ ସାମ୍ନାକୁ ଆସିଛି ଠିକାଦାରଙ୍କ ବଡଧରଣ ଚଂଚକତା । ଯୋଗ୍ୟ ହିକାଧିକାରୀଙ୍କ ଆବାସ ନିର୍ମାଣରେ ଦୁର୍ନୀତି ଅଭିଯୋଗ କରି ବିଜେପି ବ୍ଲକ ଅଫିସ ଘେରାଉ କରୁଛି । ଏତିକିବେଳେ ନବରଙ୍ଗପୁରରୁ ଆସିଛି ଠିକାଦାରଙ୍କ ଆବାସ ଯୋଜନା ଟଙ୍କା ହଡପ ଅଭିଯୋଗ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ କରିବାକୁ କାର୍ଯ୍ୟାଦେଶ ପାଇଥିବା ଗରିବ ହିତାଧିକାରୀ ପଇସା ଅଭାବରୁ ଠିକାଦାରକୁ ଭରସା କରିଥିଲେ । ହେଲେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ସି ପଂଚାୟତରେ ଲକ୍ଷାଧିକ ଟଙ୍କା ଠକି ନେଇଛି ଠିକାଦାର । ୪୨୦ ଠିକାଦାର ସଂଜୀବ ସୁବୁଦ୍ଧିକୁ ଗିରଫ କରିଛି ଉମରକୋଟ ପୋଲିସ ।

ଅଭିଯୋଗ ଅନୁସାରେ, ପଂଚାୟତର କେତେକ ଆଦିବାସୀ ହିତାଧିକାରୀଙ୍କୁ ଘର କରାଇଦେବ କହି ବ୍ୟାଙ୍କକୁ ନେଇ ସେମାନଙ୍କ ଟିପଚିହ୍ନ ଦେଇ ଆବାସ ଯୋଜନାରେ ଆସିଥିବା ଅର୍ଥକୁ ହଡପ କରିନେଇଛି । ବ୍ୟାଙ୍କ ଆକାଉଂଟ ଖାଲି କରିଦେବା ପରେ ଘରକୁ ସଂପୂର୍ଣ୍ଣ ନକରି ଅଧାପନ୍ତରିଆ କରି ଛାଡିଦେଇଥିବା ଅଭିଯୋଗ ହୋଇଛି । ଘର ସଂପୂର୍ଣ୍ଣ କରିବାକୁ କହିବାରୁ ଠିକାଦାର ସଂଜୀବ ସୁବୁଦ୍ଧି ଏମାନଙ୍କୁ ନାଲିଆଖି ଦେଖାଇଥିଲା । ଏବେ ଅଭିଯୋଗ ଆଧାରରେ ସଂଜୀବକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ପୂର୍ବରୁ ମଧ୍ୟ ଠିକାଦାର ଜଣକ ମିଥ୍ୟା ବିଲ କରାଇବାକୁ ବିଡିଓଙ୍କୁ ବାଧ୍ୟ କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲା ।