ଅନୁଗୁଳର ପ୍ଲାଷ୍ଟିକ୍ ମ୍ୟାନ୍ । ରାସ୍ତା କଡରୁ ପ୍ଲାଷ୍ଟିକ୍ ବୋତଲ ଗୋଟାଇ ତିଆରି କରୁଛନ୍ତି ଘରକରଣା ସମଗ୍ରୀ, ଅଦରକାରୀ ବର୍ଯ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ସୁନ୍ଦର ସୁନ୍ଦର ସାମଗ୍ରୀ ।

826

କନକ ବ୍ୟୁରୋ : ଘରେ ଥିବା ପ୍ଲାଷ୍ଟିକ ବୋତଲକୁ ଟିକିଏ ପୁରୁଣା ହୋଇ ଗଲେ ବାହାରେ ଫିଙ୍ଗି ଦେଉଛନ୍ତି । ଆଉ ଏହା ପରିବେଶ ପ୍ରଦୂଷଣ କରୁଛି । ଆପଣ ଅଦରକାରୀ ଭାବୁ ଥିବା ସେହି ସବୁ ବୋତଲ ବି କାମରେ ଆସିପାରେ । ସେଥିରୁ ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀ ପ୍ରସ୍ତୁତ ହୋଇପାରେ । ଏହାକୁ ପ୍ରମାଣିତ କରିଛନ୍ତି ଅନୁଗୁଳର ପ୍ଲାଷ୍ଟିକ ମ୍ୟାନ୍ ।

ପ୍ଲାଷ୍ଟିକ ବର୍ଯ୍ୟବସ୍ତୁରେ ସୁନ୍ଦର ଘରକରଣା ସାମଗ୍ରୀ । ରେଳ ଷ୍ଟେସନ, ବସଷ୍ଟାଣ୍ଡ ଓ ରାସ୍ତାକଡରେ ପଡିଥିବା ପ୍ଲାଷ୍ଟିକ ଥଣ୍ଡା ଓ ପାଣି ବୋତଲ, ତେଲ ଜାର୍କିନ୍, ପ୍ଲାଷ୍ଟିକ ଡବା ଦେଖିଲେ ଗୋଟେଇ ଆଣନ୍ତି ଅନୁଗୁଳ ଜିଲ୍ଲା କଲେଇପଦା ଗାଁର ରସାନନ୍ଦ ସାହୁ । ପ୍ଲାଷ୍ଟିକ ବୋତଲରେ ତିଆରି କରନ୍ତି ସୁନ୍ଦର ସୁନ୍ଦର ଫୁଲଦାନୀ, ପେନଷ୍ଟାଂଡ, ବେଡଲାଇଟ୍, ବ୍ରସ୍ ଷ୍ଟାଂଡ ଓ ଫୁଲ ଚାଙ୍ଗୁଡି । ପ୍ରଥମେ ପ୍ରଥମେ ରସାନନ୍ଦଙ୍କ ଏଭଳି କାମକୁ ନାପସନ୍ଦ କରୁଥିଲେ ପରିବାର ଏବଂ ସାହି ପଡିଶା । ହେଲେ ଏବେ ରସାନନ୍ଦ ତିଆରି କରୁଥିବା ସାମଗ୍ରୀକୁ ଘର ସଜା କାମରେ ବ୍ୟବହାର କରିବା ସହ ତାଙ୍କୁ ଭୂରି ଭୂରି ପ୍ରଶଂସା କରୁଛନ୍ତି ।

ରସାନନ୍ଦ ପେଶାରେ ଜଣେ ଇଲେକ୍ଟ୍ରିକସିଆନ୍ । ହେଲେ ନିଶା ତାଙ୍କ ଭିନ୍ନ କିଛି । ପ୍ଲାଷ୍ଟିକ ବର୍ଯ୍ୟବସ୍ତୁକୁ ବାହାରେ ପକାଇ ପରିବେଶ ପ୍ରଦୂଷଣ କରିବା ଅପେକ୍ଷା ସେଥିରେ କିଛି କରିବାର ନିଶା ଆଜି ରସାନନ୍ଦଙ୍କୁ ଏକ ନୂଆ ପରିଚୟ ଦେଇଛି । ରସାନନ୍ଦ କରିଥିବା ବିଭିନ୍ନ ଘର ସଜା ସାମଗ୍ରୀକୁ ବିଭିନ୍ନ ମେଳାରେ ପ୍ରଦର୍ଶିତ କରି ସଚେତନତାର ବାର୍ତ୍ତା ବାଂଟିଥାନ୍ତି । କିନ୍ତୁ ପ୍ରଶାସନ ପକ୍ଷରୁ ସେମିତି କିଛି ପ୍ରୋତ୍ସାହନ ପାଇନାହାନ୍ତି । ପ୍ଲାଷ୍ଟିକ ପ୍ରସ୍ତୁତ ସାମଗ୍ରୀର ପ୍ରଚାର ପ୍ରସାର ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଥିଲେ । ପିଏମଓରୁ ସହୟତା ଯୋଗାଇ ଦିଆଯିବ ବୋଲି ପ୍ରତି ଉତ୍ତର ବି ମିଳିଥିଲା ହେଲେ, ପ୍ରଶାସନ ପଖରୁ କୌଣସି ସହାୟତା ମିଳି ନାହିଁ ।