ଜିଲ୍ଲାପାଳଙ୍କ ନିଆରା ଅନ୍ଦାଜ । ଅଚାନକ କଲେଜରେ ପହଞ୍ଚିଲେ, ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ।

809

କନକ ବ୍ୟୁରୋ : ଜିଲ୍ଲାପାଳଙ୍କ ପାଠଶାଳା । କ୍ୟାରିୟର ପାଇଁ ମନ୍ତ୍ର ଦେଲେ କଲେକ୍ଟର । ଗତକାଲି ବାରିପଦାର ଏମପିସି ଜୁନିୟର କଲେଜରେ ଏଣ୍ଟ୍ରି ମାରିଥିଲେ ମୟୂରଭଞ୍ଜର ଜିଲ୍ଲାପାଳ । କେହି କିଛି ଭାବିବା ପୂର୍ବରୁ ଶ୍ରେଣୀଗୃହକୁ ପ୍ରବେଶ କରିଥିଲେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ । କ୍ଲାସରୁମରେ ଛାତ୍ରଛାତ୍ରୀ ପାଠ ପଢୁଥିବା ଦେଖି ନିଜେ କିଛି ସମୟ ପାଇଁ ଅଧ୍ୟାପକ ସାଜିଥିଲେ ଜିଲ୍ଲାପାଳ । ହାତରେ ମାଇକ୍ ଧରିବା ସହ ପିଲାଙ୍କୁ ବାଣ୍ଟିଥିଲେ ଗୁରୁମନ୍ତ୍ର ।

ପ୍ରାୟ ୨ ଘଣ୍ଟା ଧରି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଥିଲେ ଜିଲ୍ଲାପାଳ ।  ଏଥି ସହିତ ଛାତ୍ରଛାତ୍ରୀ ମାନେ ବିଭିନ୍ନ ବିଭାଗରେ କିଭଳି ନିଜର କ୍ୟାରିୟର ଗଠନ କରିପାରିବେ ସେ ସମ୍ପର୍କରେ ଗୁରୁଜ୍ଞାନ ଦେଇଥିଲେ ବିନୀତ୍ ।  ଜୀବନରେ କିଭଳି ସଫଳତାର ଶୀର୍ଷରେ ପହଞ୍ଚିବେ ଓ ଏଥିପାଇଁ କଣ କଣ କରିବା ଦରକାର ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଛନ୍ତି ମୟୁରଭଞ୍ଜ ଜିଲ୍ଲାପାଳ । ଏଥି ସହିତ ନିଜର ଜୀବନର ଅଭିଜ୍ଞତାକୁ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ପାଖରେ ଉପସ୍ଥାପନ କରିଛନ୍ତି ।

କେବଳ ପାଠ ପଢାଇ ନାହାନ୍ତି ବରଂ ଛାତ୍ରଛାତ୍ରୀଙ୍କ ସବୁ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି ଜିଲ୍ଲାପାଳ । ଆଉ ଜିଲ୍ଲାପାଳଙ୍କୁ ମଧ୍ୟ ନିଜ ଗହଣରେ ପାଇ ବେଶ ଉତ୍ସାହିତ ହୋଇ ଉଠିଥିଲେ ଛାତ୍ରଛାତ୍ରୀ । ଆଉ ଜିଲ୍ଲାପାଳଙ୍କ ଏଭଳି ଅଚାନକ କଲେଜ ଗସ୍ତକୁ ନେଇ ଏବେ ଜିଲ୍ଲାରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଖାସକରି ମୁଖ୍ୟମନ୍ତ୍ରୀଙ୍କ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପ୍ରଶାସନିକ ଅଧିକାରୀ ମାନେ ପୂର୍ବପେକ୍ଷା ଅଧିକ ଲୋକାଭିମୁଖୀ ହୋଇଛନ୍ତି ।