ଟିକେଟ ନପାଇବା ପରେ ବରୁଣ ଗାନ୍ଧୀଙ୍କ ନିଷ୍ପତି । ନିର୍ବାଚନ ଲଢ଼ିବେନି କିନ୍ତୁ ମା ମାନେକା ଗାନ୍ଧୀଙ୍କ ପାଇଁ କରିବେ ପ୍ରଚାର

622

କନକ ବ୍ୟୁରୋ : ଟିକେଟ ମିଳିଲାନି କିନ୍ତୁ ପ୍ରଚାର କରିବେ । ବିଜେପି ନେତା ବରୁଣ ଗାନ୍ଧୀଙ୍କୁ ଲୋକସଭା ନିର୍ବାଚନ ପାଇଁ ଟିକେଟ ଦେଇନି ଦଳ କିନ୍ତୁ ଚର୍ଚ୍ଚା ହେଉଛି ଯେ ମା ମାନେକା ଗାନ୍ଧୀଙ୍କ ପାଇଁ ସେ କରିବେ ପ୍ରଚାର । ବରୁଣଙ୍କ ଅପେକ୍ଷା ମାନେକାଙ୍କ ଉପରେ ଅଧିକ ବିଶ୍ୱାସ ପ୍ରକାଶ କରି ଦଳ ଟିକେଟ ଦେଇଛି । ଚର୍ଚ୍ଚା ହେଉଥିଲା ବରୁଣ ହୁଏତ ନିର୍ଦଳୀୟ ଭାବେ ନିର୍ବାଚନ ଲଢ଼ିପାରନ୍ତି । ଏପରି ସମୟରେ ତାଙ୍କୁ କଂଗ୍ରେସରୁ ମିଶିବା ପାଇଁ ପ୍ରସ୍ତାବ ମଧ୍ୟ ଆସିଛି । ବରିଷ୍ଠ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ, ବରୁଣ ଯଦି ବିଜେପି ଛାଡ଼ି କଂଗ୍ରେସରେ ମିଶିବାକୁ ଚାହାନ୍ତି, ତାହେଲେ ତାଙ୍କୁ ସ୍ୱାଗତ କରାଯିବ । ଗାନ୍ଧୀ ପରିବାରରୁ ହୋଇଥିବାରୁ ବରୁଣଙ୍କୁ ବିଜେପି ଟିକେଟ ଦେଇ ନାହିଁ ବୋଲି ଅଧୀର କହିଛନ୍ତ । ମାର୍ଚ୍ଚ ୨୪ରେ ବିଜେପି ଏହାର ପଂଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଏଥିରେ ପିଲଭିଟ ଆସନରୁ ଜିତିନ ପ୍ରସାଦଙ୍କୁ ଟିକେଟ ଦିଆଯାଇଛି । ୨୦୨୧ରେ ଜିତିନ ପ୍ରସାଦ ବିଜେପିରେ ମିଶିଥିଲେ । ଯଦିଓ ବରୁଣ ଗାନ୍ଧୀଙ୍କୁ ଟିକେଟ ମିଳିନାହିଁ, ହେଲେ ତାଙ୍କ ମାଆ ମାନେକା ଗାନ୍ଧୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ସୁଲତାନପୁର ଆସନରୁ ଏଥର ମାନେକା ନିର୍ବାଚନ ଲଢ଼ିବେ ।