କଂଗ୍ରେସ ମୁହାଁ ପ୍ରଶାନ୍ତ କିଶୋରଙ୍କୁ ଝଟକା, ଟିଆରଏସ ସହ ହାତ ମିଳାଇଲା ସଂଗଠନ ଆଇପିଏସି

220

କନକ ବ୍ୟୁରୋ : ଗୋଟିଏ ପଟେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ଇଣ୍ଡିଆନ ପଲଟିକାଲ ଆକ୍ସନ କମିଟି (ଆଇପିଏସି) ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ସହ ହାତ ମିଳାଇଛି । ଟିଆରଏସର ନେତୃତ୍ୱ ତେଲେଙ୍ଗାନର ମୁଖ୍ୟମନ୍ତ୍ରୀ କେ, ଚନ୍ଦ୍ରଶେଖର ରାଓ ନେଉଥିବା ବେଳେ ଆଇପିଏସିର କମାଣ୍ଡ ଗୋଟିଏ ସମୟରେ ପ୍ରଶାନ୍ତ କିଶୋରଙ୍କ ହାତରେ ଥିଲା   । ଏହି କମ୍ପାନୀ ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ଭଳି ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ବେଳେ ଭିନ୍ନ ଭିନ୍ନ ଦଳଙ୍କ ପାଇଁ କାମ କରସାରିଛି । ସୂତ୍ର ସୂଚନା ମୁତାବକ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଶନିବାର ଦିନ ସେ ଚନ୍ଦ୍ରଶେଖର ରାଓଙ୍କ ସରକାରୀ ବାସଭବନ ନିକଟରେ ଥିବା ଦେଖିବାକୁ ମିଳିଛି ।

କହିରଖୁ କି ପ୍ରଶାନ୍ତ କିଶୋର ଟିଆରଏସ ପାଇଁ କାମ କରିବାକୁ ଦୀର୍ଘଦିନ ହେବ ଆଲୋଚନା ଚାଲିଥିଲା । ହେଲେ ସେ କଂଗ୍ରେସରେ ଯୋଗ ଦେଉଥିବା ଖବର ମଧ୍ୟରେ ଏ ଖବର ସାମ୍ନାକୁ ଆସିବା ପରେ ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

ପ୍ରଶାନ୍ତ କିଶୋର ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ହାଇକମାଣ୍ଡଙ୍କ ପାଖରେ ଅନେକ କିଛି ଋଣନିତୀ ପ୍ରଦର୍ଶନ କରିଛନ୍ତି । ଏହାସହ ସେ ସୋନିଆ, ରାହୁଲଙ୍କ ସମେତ କଂଗ୍ରେସର ଅନେକ ବରିଷ୍ଠ ନେତାଙ୍କ ସହ ବି ଭେଟ କରିଛନ୍ତି ।

 

ସୂଚନା ଥାଉକି କଂଗ୍ରେସର କିଛି ବରିଷ୍ଠ ନେତା ପ୍ରଶାନ୍ତ କିଶୋର କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ଭୟଭିତ ହୋଇପଡିଛନ୍ତି । ପ୍ରଶାନ୍ତ କିଶୋର ପଶ୍ଚିମବଙ୍ଗର ମମତା ବାନାର୍ଜୀ, ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ସହ ମିଶି କାମ କରିଛନ୍ତି । ପ୍ରଶାନ୍ତ କିଶୋରଙ୍କ ପ୍ରସ୍ତାବ ଉପରେ ସୋନିଆ ଗାନ୍ଧୀ ଏକ କମିଟି ବି ଗଠନ କରିସାରିଛନ୍ତି ।

ଏହି କମିଟିର ରିପୋର୍ଟ ମୁତାବକ କଂଗ୍ରେସର ବରିଷ୍ଠ ନେତାମାନେ ଚାହୁଁଛନ୍ତି କି, ପ୍ରଶାନ୍ତ କିଶୋର କଂଗ୍ରେସ ପାଇଁ କେବଳ କାମ କରନ୍ତୁ ଓ ଅନ୍ୟ ରାଜନୈତିକ ଦଳମାନଙ୍କ ଠାରୁ ସଂପର୍କ ଦୂରେଇ ରଖନ୍ତୁ ।