ଲକଡାଉନ୍ କଟକଣାରେ ଲୋକ ଅତିଷ୍ଠ । କହିଲେ, ଦରମା କଟୁନି କି ରୋଜଗାର କମୁନି, ସରକାରୀ ବାବୁ କେମିତି ବୁଝିବେ କଟକଣା କଷ୍ଟ?

345

କନକ ବ୍ୟୁରୋ: ପୁଣି ବଢ଼ିଲା ଆଂଶିକ କଟକଣା ଅବଧି । ପୂର୍ବ ତୁଳନାରେ କଟକଣା ସାମାନ୍ୟ କୋହଳ ହୋଇଥିଲେ ବି ଏହାକୁ ସହଜରେ ଗ୍ରହଣ କରିନାହାଁନ୍ତି ସାଧାରଣ ଜନତା । କାରଣ, ୩ ମାସ ହେଲା କଟକଣା ଯୋଗୁଁ ଲୋକ ଅତିଷ୍ଟ ହୋଇପଡ଼ିଥିବା ବେଳେ ପ୍ରଶାସନର ନିଷ୍ପତ୍ତିକୁ ନିଜ ନିଜ ଢ଼ଙ୍ଗରେ ଲୋକ ବ୍ୟାଖ୍ୟା କରିଛନ୍ତି । କିଛି କହିଛନ୍ତି- ଦରମା କଟୁନି କି ରୋଜଗାର କମୁନି, ସରକାରୀ ବାବୁ କେମିତି ବୁଝିବେ କଟକଣା କଷ୍ଟ?

ଶାସନର ଶୀର୍ଷରେ ନିଆଯାଉଥିବା ନିଷ୍ପତ୍ତି ଯେତେବେଳେ ରାଜଧାନୀ ଦେଇ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚେ, ତାହା ସମସ୍ତଙ୍କୁ ସମାନ ଢ଼ଙ୍ଗରେ ପ୍ରଭାବିତ କରେ ନାହିଁ । କାରଣ, ସମସ୍ତଙ୍କ ରୋଜଗାର ବାଟ ଅଲଗା । ସମସ୍ତେ ଚାକିରି କରନ୍ତି ନାହିଁ ଯେ, ମାସ ଶେଷରେ ଦରମା ମିଳିଯିବ । ଏମିତି ଅନେକ ଲୋକ ଅଛନ୍ତି ରାସ୍ତାକଡ଼ରେ ଦୋକାନ ଖୋଲିଲେ ପରିବାର ଚଳେ ।ଭୁତାଣୁକୁ ନଜରରେ ରଖି ଲୋକଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଥିବା ସରକାରୀ ବାବୁଙ୍କୁ ନେଇ ସାଧାରଣରେ ସ୍ୱର ଉଠିଛି । ନିଷ୍ପତ୍ତିକୁ ନେଇ ସେମାନଙ୍କର ଯୁକ୍ତି ଦେଲା, କଟକଣା ଯୋଗୁଁ ସରକାରୀ ବାବୁଙ୍କ ରୋଜଗାର ପ୍ରଭାବିତ ହେବାର ନାହିଁ । ଦରମା କଟିବାର ନାହିଁ କିମ୍ବା ରୋଜଗାର କମିବାର ନାହିଁ । ସେମାନଙ୍କର ଦରମା କଟିଲେ, କଟକଣାର କଷ୍ଟ ବୁଝନ୍ତେ ବୋଲି ଯୁକ୍ତି କରିଛନ୍ତି ।

ସରକାରୀ ଚାକିରିଆଙ୍କ ମହଙ୍ଗା ଭତ୍ତା ବଢ଼େ । ୫୦% ପ୍ରତିଶତ କର୍ମଚାରୀରେ ଅଫିସ୍ କାମ ବି ଚାଲେ । ଏମିତି କି ଓଡ଼ିଶାରେ ପ୍ରାୟ ୪ ଲକ୍ଷ ସରକାରୀ କର୍ମଚାରୀ ଅଛନ୍ତି, ଯେଉଁମାନେ ସାଧାରଣ ଲୋକଙ୍କ ଭଳି ଆୟକୁ ନେଇ ସେତେ ଚିନ୍ତିତ ନୁହଁନ୍ତି । ଆଉ ସେଥିପାଇଁ ସେମାନେ ସାଧାରଣ ଲୋକଙ୍କ କଷ୍ଟ ବୁଝିପାରୁନାହାଁନ୍ତି ବୋଲି ସାଧାରଣ ଲୋକ ଅଭିଯୋଗ କରିଛନ୍ତି ।