ଟିକାକରଣ ପରେ ବିଶ୍ୱ ଖୋଲୁଛି, ହେଲେ ଗରିବ ରାଜ୍ୟରେ ଆଭିମୁଖ୍ୟ ଅଲଗା । ରାଜଧାନୀ ଭୁବନେଶ୍ୱରରେ ୯୦ ପ୍ରତିଶତ ଟିକାକରଣ, ତଥାପି ହଟିଲାନି କଟକଣା ।

252

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ସରକାର ଟିକାକରଣକୁ ଗମ୍ଭୀରତାର ସହ ନେଇଛନ୍ତି । ଫଳରେ ବର୍ତ୍ତମାନ ଯାଏଁ ପ୍ରାୟ ୯୦ ପ୍ରତିଶତ ରାଜଧାନୀବାସୀ ଅତି କମରେ ଗୋଟିଏ ଡୋଜ୍ ନେଇ ସାରିଲେଣି । ହେଲେ ଆପଣ ଭାବୁଥିବେ ଏତେ ସଂଖ୍ୟକ ଟିକାକରଣ ପରେ ବି କାହିଁକି ଖୋଲିଲାନି ଭୁବନେଶ୍ୱର । ପ୍ରକୃତରେ ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି ।

ଆଶା କରାଯାଉଥିଲା କରୋନାରେ ଅଚଳ ହୋଇପଡ଼ିଥିବା ଅର୍ଥନୀତିକୁ ପୁଣିଥରେ ସଚଳ କରିବାକୁ ଭୁବନେଶ୍ୱରରେ କଟକଣାକୁ କୋହଳ କରିବେ ସରକାର । କିନ୍ତୁ ସେଭଳି କିଛି ଦେଖିବାକୁ ମିଳିନାହିଁ । ସରକାରଙ୍କ ତଥ୍ୟ ଅନୁସାରେ ଭୁବନେଶ୍ୱରରେ ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ଟିକାକରଣ ହୋଇଛି । ୧୦ ଲକ୍ଷ ଲୋକ ଅତି କମରେ ଗୋଟିଏ ଡୋଜ୍ ଟିକା ନେଇଛନ୍ତି । ଆଉ ୫ ଲକ୍ଷରୁ ଅଧିକ ଲୋକଙ୍କର ସଂପୂର୍ଣ୍ଣ ଟିକାକରଣ ହୋଇ ସାରିଛି । ଏହାସତ୍ତେ୍ୱ ମଧ୍ୟ ସରକାର ରାଜଧାନୀରୁ କଟକଣା କୋହଳ କରିନାହାନ୍ତି ।

ଆମେରିକା, ବିଟ୍ରେନ୍, ଫ୍ରାନ୍ସ, ସ୍ପେନ୍ ଭଳି ଦେଶରେ ବ୍ୟାପକ ଟିକାକରଣ ପରେ କରୋନା କଟକଣା କୋହଳ ହୋଇଛି । ଏପରିକି ଅନେକ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇନାହିଁ । ଏହାର ଅର୍ଥ ହେଉଛି ବିକଶିତ ରାଷ୍ଟ୍ରମାନେ ଅର୍ଥନୀତିକୁ ଗୁରୁତ୍ୱ ଦେଉଛନ୍ତି । କାରଣ ଅର୍ଥନୀତି ଦୁର୍ବଳ ହେଲେ ଆହୁରି ଉତ୍କଟ ସମସ୍ୟା ସୃଷ୍ଟି ହେବ ବୋଲି ସେମାନେ ଭାବୁଛନ୍ତି ।

ଏପଟେ ଗରିବ ଦେଶ ଓ ଗରିବ ରାଜ୍ୟରେ ଓଲଟା ସ୍ଥିତି ଦେଖିବାକୁ ମିଳିଛି । ଯେଉଁଠି ଅଧିକ ଲୋକ ଦୈନିକ ଗୁଜୁରାଣ ମେଣ୍ଟାଇବା ପାଇଁ ସଂଘର୍ଷ କରୁଛନ୍ତି, ସେଠାରେ କଟକଣା କୋହଳ କରିବାକୁ ସରକାର ଡରୁଛନ୍ତି । ଭୁବନେଶ୍ୱରରୁ ପ୍ରଶାସନିକ କଳ ଚାଲୁଥିବା ବେଳେ ସେପଟେ କଟକରୁ ରାଜ୍ୟର ବାଣିଜ୍ୟିକ କାର୍ଯ୍ୟକଳାପ ନିୟନ୍ତ୍ରିତ ହୋଇଥାଏ । ତେଣୁ କଟକ ଓ ଭୁବନେଶ୍ୱର ଯଦି ବନ୍ଦ ରହିବ, ତେବେ ରାଜ୍ୟ ଅର୍ଥନୀତି ପାଇଁ ବଡ଼ ବାଧକ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି ।