ପାରଳାଖେମୁଣ୍ଡି ଏସିଏଫଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ । ଡିଏଫଓଙ୍କ ସହ ଅନୈତିକ ସମ୍ପର୍କ ଅଭିଯୋଗ ଆଣି ବୋହୂଙ୍କ ଉପରେ ଦୋଷ ଲଦିଲେ ମୃତ ସୌମ୍ୟଙ୍କ ବାପା ।

250
  • ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ପଛରେ ଥିଲା କି ଷଡଯନ୍ତ୍ର?
  • ଡିଏଫଓଙ୍କ ସହ ମିଶି ପତ୍ନୀ କରିଥିଲେ କି ଯୋଜନା?
  • ପୋଡିଯିବା ସମୟରେ ପତ୍ନୀ ଜାଣିପାରିଲେ ନାହିଁ କିଭଳି?

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ପରେ ଏଭଳି କିଛି ପ୍ରଶ୍ନ ସାମ୍ନାକୁ ଆସୁଛି , ଯାହା ସାଧାରଣରେ ବି ସନ୍ଦେହ ସୃଷ୍ଟି କରୁଛି । ଦୁଇଦିନ ପରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ନେଇ ବଢି ବଢି ଚାଲିଛି ରହସ୍ୟ ଆଉ ରହସ୍ୟକୁ ବଢାଇଛି ସୌମ୍ୟରଞ୍ଜନ ବାପାଙ୍କ ଏତଲା ।

ଏତଲାରେ ଲେଖାଅଛି ବିବାହର ଏକମାସ ପରେ ପୁଅ ବୋହୂକୁ ନେଇ ପାରଳାଖେମୁଣ୍ଡି ଆସିଥିଲା । କିଛି ଦିନ ପରେ ପୁଅ ସୌମ୍ୟ ଘରକୁ ଫୋନ କରି ତାଙ୍କ ଦାମ୍ପତ୍ୟ ଜୀବନରେ ହେଉଥିବା ଝଗଡ଼ା ବିଷୟରେ ଜଣାଉଥିଲା । ଡିଏଫଓଙ୍କ ସହ ବୋହୂର ଅନୈତିକ ସମ୍ପର୍କ ବାବଦରେ ପରିବାରକୁ ପୁଅ ଜଣାଇଥିଲେ । ଆଉ ଏସବୁ କାର୍ଯ୍ୟରେ ରୋଷେୟା ସହଯୋଗ କରୁଥିଲା । ଜାଣିଶୁଣି ଅଫିସ କାର୍ଯ୍ୟ, ଆଳରେ ଡିଏଫଓ ତାଙ୍କୁ ରାତି ଡ୍ୟୁଟି ଦେଉଥିଲେ ବୋଲି କହିଛନ୍ତି ସୌମ୍ୟଙ୍କ ବାପା ।

ଏତଲା ପରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ପ୍ରଥମେ ଦୁର୍ଘଟଣାଜନିତ ମୃତ୍ୟୁ କହୁଥିବା ପୁଲିସ କିନ୍ତୁ ୟୁ-ଟର୍ଣ୍ଣ ମାରିଛି । ଡିଏଫଓ, ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ଓ ରୋଷେୟାଙ୍କ ନାଁରେ ମାମଲା ରୁଜୁ କରିଛି । ହତ୍ୟା ମାମଲା ଓ ହତ୍ୟା ଷଡଯନ୍ତ୍ର କରାଯାଇଥିବା ଦଫା ଲଗାଇ ତଦନ୍ତ ଆରମ୍ଭ ହୋଇଛି ।

ଅନ୍ୟପଟେ ନିଜ ଉପରେ ଅଙ୍ଗୁଳି ଉଠିବା ପରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପାରଳାଖେମୁଣ୍ଡି ଡିଏଫଓ । କହିଛନ୍ତି. ପୁଲିସ ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବେ । ଏସିଏଫଙ୍କ ଘରେ କାମ କରୁଥିବା ରୋଷେୟା ମଧ୍ୟ ଘଟଣା ଦିନ କ’ଣ ହୋଇଥିଲା କହିଛନ୍ତି । ସୋମବାର ରାତିରେ ସରକାରୀ କ୍ୱାର୍ଟରରେ ଅଦରକାରୀ କାଗଜପତ୍ର ପୋଡୁଥିବା ବେଳେ ସୌମ୍ୟରଂଜନ ମହାପାତ୍ରଙ୍କ ସାରା ଦେହରେ ନିଆଁ ଲାଗିଯାଇଥବା କୁହାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ପ୍ରଶ୍ନ ଉଠୁଛି, ଘରେ ପତ୍ନୀ ତାଙ୍କୁ ବଞ୍ଚାଇବା ପାଇଁ କାହିଁକି ଉଦ୍ୟମ କରିନଥିଲେ? କାଗଜରେ ନିଆଁ ଲଗାଉଥିବାବେଳେ ଶରୀରରେ ନିଆଁ ଲାଗିବା ଥିଓରୀ କେତେ ଯୁକ୍ତିଯୁକ୍ତ ?