ଫସଲ ବୀମାକୁ ନେଇ ରାଜନୀତି। ଚାଷୀଙ୍କୁ ମନାଇବାକୁ ଲାଗିପଡିଛନ୍ତି ସରକାର ଏବଂ ବିରୋଧୀ।

95

କନକ ବ୍ୟୁରୋ: ଫସଲ ବୀମା ଦାବି କରି ଧାରଣାରେ ବସିରହିଛନ୍ତି ବରଗଡ ଜିଲ୍ଲା ପଦ୍ମପୁରର ଚାଷୀ । କେନ୍ଦ୍ର-ରାଜ୍ୟ ଟଣାଓଟରା ଭିତରେ ଏମାନଙ୍କ ଦାବିକୁ କେହି କର୍ଣ୍ଣପାତ କରୁନଥିଲେ । କିନ୍ତୁ ବିଧାୟକ ବିଜୟରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଉପନିର୍ବାଚନ ପରିସ୍ଥିତି ସୃଷ୍ଟି ହେଲା । ତେଣୁ ଏବେ ସବୁ ରାଜନୈତିକ ଦଳର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି ଏହି ଆନ୍ଦୋଳନରତ ଚାଷୀ । ପ୍ରାୟ ୮୦ ହଜାର ଭୋଟର, ବିଜୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ଆଶଙ୍କା କରି ଏମାନଙ୍କୁ ମନାଇବାକୁ ଲାଗିପଡିଛନ୍ତି ଉଭୟ ବିଜେପି ଓ ବିଜେଡି । ୧୩ ମାସର ଦାବିକୁ ୧୩ ମିନିଟରେ ପୂରଣ କରିବାକୁ ଦେଉଛନ୍ତି ପ୍ରତିଶ୍ରୁତି ।

ବର୍ଷବର୍ଷ ଧରି ପ୍ରିମିୟମ ଦେଉଥିଲେ ମଧ୍ୟ ବୀମା ଟଙ୍କା ନପାଇବାର ଦୁଃଖ କେବଳ ପଦ୍ମପୁର ଚାଷୀଙ୍କର ନୁହେଁ । ଏଭଲି ଅବସ୍ଥା ଭୋଗୁଛନ୍ତି ସାରାଓଡିଶାର ଅଧିକାଂଶ ଚାଷୀ । ଆମେ ଆପଣଙ୍କୁ କିଛି ଉଦାହରଣ ଦେବାକୁ ଚାହିଁବୁ । କେନ୍ଦ୍ରାପଡାର ଚାଷୀ ପ୍ରଦୀପ କୁମାର ତ୍ରିପାଠୀ । ହେକ୍ଟରକୁ ୧୨୫୦ ଟଙ୍କା ଲେଖାଏଁ ୪ ହେକ୍ଟରକୁ ୫୦୦୦ ଟଙ୍କା ପ୍ରିମିୟମ ଭରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ବାବଦକୁ ଗୁଲନଗର ସେବା ସମବାୟ ଜରିଆରେ ଗତବର୍ଷ ଜୁଲାଇରେ ଦେଇଥିଲେ ଟଙ୍କା । ଲଗାଣ ବର୍ଷା ପରେ ବନ୍ୟା ଫଳରେ ଫସଲ ନଷ୍ଟ ହୋଇଯିବାରୁ କୃଷି ବିଭାଗ ତଦନ୍ତ କରି ୭୦ ପ୍ରତିଶତ କ୍ଷତି ହୋଇଥିବା ଘୋଷଣା କରିଥିଲା । ହେଲେ ବୀମା କମ୍ପାନିକୁ ଦୌଡିଦୌଡି ଆଜିଯାଏ ଫସଲ କ୍ଷତି ବାବଦ ବୀମା ଟଙ୍କା ପାଇପାରି ନାହାନ୍ତି ।

କଟକ ଜିଲ୍ଲା ବାଙ୍କୀ ଢଅଁସର ଗାଁର ବିଜୟ କୁମାର ଜେନା ମଧ୍ୟ ଦୀର୍ଘବର୍ଷ ଧରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରିମିୟମ ଦେଇଆସୁଛନ୍ତି । ପ୍ରାକୃତିକ ଦୁର୍ବିପାକରେ ଫସଲ କ୍ଷତି ହେଲେ ତାଙ୍କୁ ବୀମା କମ୍ପାନି କ୍ଷତିପୂରଣ ଦେବା କଥା । ୨୦୨୦ରେ ଆସିଥିବା ବନ୍ୟାରେ ହେକ୍ଟର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିଲେ ମଧ୍ୟ ବୀମାଟଙ୍କାର ଦେଖାନାହିଁ । ଚାଷୀଙ୍କ ଏଭଳି ସମସ୍ୟା ପାଇଁ ବୀମା କମ୍ପାନିକୁ ଦାୟୀ କରିଛନ୍ତି ବାଙ୍କୀମଣ୍ଡଳ କୃଷି ଅଧିକାରୀ । ପ୍ରଧାନମନ୍ତ୍ରୀ ଫସଲ ବୀମା ବାବଦ ପ୍ରିମିୟମ ଟଙ୍କା ଚାଷୀଙ୍କ ସହିତ ରାଜ୍ୟ ଓ କେନ୍ଦ୍ର ସରକାର ଦେଉଛନ୍ତି ।
ବର୍ଷବର୍ଷ ଧରି ପ୍ରିମିୟମ ନେଉଥିଲେ ସୁଦ୍ଧା ବୀମା ଟଙ୍କା କାହିଁକି ଦେବନି କମ୍ପାନି?
ଚାଷୀଙ୍କୁ ବୀମା ଟଙ୍କା ପ୍ରଦାନରେ ବିଳମ୍ବ ପାଇଁ କାହାକୁ ଦାୟୀ କରାଯିବ?
ଫସଲ ବୀମା ଯୋଗାଇ ଦେଉଥିବା କମ୍ପାନି, କେନ୍ଦ୍ର ନା ରାଜ୍ୟ ସରକାର?