ବେଙ୍ଗାଲୁରୁରେ ବିରୋଧୀଙ୍କ ମହାବୈଠକ । ନୂଆ ନାଁରେ ମୋଦୀ ସରକାରଙ୍କୁ ଦେବେ ଟକ୍କର, ୨୦୨୪ରେ ‘ଏନଡିଏ’ ବନାମ ‘ଇଣ୍ଡିଆ’ ଲଢେଇ!

100

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ନୂଆ ନାଁ ଓ ନୂଆ ଉତ୍ସାହ ନେଇ ମଇଦାନକୁ ଓହ୍ଲାଇବ ବିରୋଧୀ । ବେଙ୍ଗାଲୁରୁରେ ଚାଲିଥିବା ବୈଠକରେ ବିରୋଧୀ ଦଳର ନୂଆ ନାଁ ‘ଇଣ୍ଡିଆ’ ରଖାଯାଇଥିବା ସୂଚନା ମିଳିଛି । ଅର୍ଥାତ୍ ୨୦୨୪ ସାଧାରଣ ନିର୍ବାଚନରେ ଏନଡିଏକୁ ଟକ୍କର ଦେବ ‘ଇଣ୍ଡିଆନ ନ୍ୟାଶନାଲ ଡେଭଲମେଣ୍ଟାଲ ଆଲାଏନ୍ସ’ ବା ଇଣ୍ଡିଆ । କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଗୋଷ୍ଠୀଙ୍କ ପୁରୁଣା ନାଁ ୟୁପିଏ ଥିଲା । ଏବେ ସବୁ ବିରୋଧୀ ଦଳ ଇଣ୍ଡିଆ ମେଂଟର ଭାଗିଦାରୀ ହେବେ । ପାଟନା ପରେ ବେଙ୍ଗାଲୁରୁରେ ବିରୋଧୀ ଦଳଙ୍କ ଆୟୋଜିତ ହୋଇଛି ଦୁଇ ଦିନିଆ ବୈଠକ । ସୋମବାର ବୈଠକର ପ୍ରଥମ ଦିନ ଅନଔପଚାରିକ ଥିଲା । ମଙ୍ଗଳବାର ଓøପଚାରିକ ବୈଠକ ହୋଇଛି, ଯେଉଁଥିରେ ମହାମେଂଟର ନାମକରଣ ଉପରେ ବିଚାରବିମର୍ଶ ହୋଇଛି । ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବୈଠକ ପରେ ଏକଥା ସ୍ପଷ୍ଟ କରିଛନ୍ତି ୨୬ ଦଳ ମନ ମିଶାଇ ଏକାଠି କାମ କରିବେ । କ୍ଷମତା କି ପ୍ରଧାନମନ୍ତ୍ରୀ ପଦ ହାତେଇବାକୁ କଂଗ୍ରେସର କୌଣସି ଉଦ୍ଦେଶ୍ୟ ନାହିଁ । ବରଂ ଲୋକତନ୍ତ୍ର, ଧର୍ମନିରପେକ୍ଷ, ସାମାଜିକ ନ୍ୟାୟ ରକ୍ଷା କରିବା ମୁଖ୍ୟ ଲକ୍ଷ୍ୟ । ଦେଶର ପ୍ରଗତି, ବିକାଶ, କଲ୍ୟାଣ ପାଇଁ ବିରୋଧୀ ଏକଜଜୁଟ ହୋଇଛନ୍ତି ।

ସେପଟେ ବିରୋଧୀଙ୍କ ମେଳିକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପରିବାରବାଦର କଟ୍ଟର ସମର୍ଥକ ଗୋଟିଏ ମଂଚରେ ଏକତ୍ରିତ ହୋଇଛନ୍ତି । ଏହା ଏକ ଭଷ୍ଟ୍ରାଚାର ସମ୍ମିଳନୀ । ଏମାନେ ପରିବାର ପାଇଁ ଭଷ୍ଟ୍ରାଚାରକୁ ବୃଦ୍ଧି କରିବାରେ ଲାଗିପଡିଛନ୍ତି । କିଛି ବିରୋଧୀ ନେତା ନିିଜ ନିଜର ଦୁର୍ନିତି ଲୁଚାଇବା ପାଇଁ ପରସ୍ପର ସହ ହାତ ମିଳାଇଛନ୍ତି ।

ବର୍ତମାନର ରାଜନୈତିକ ପରିସ୍ଥିିତିକୁ ଦେଖିଲେ ୨୦୨୪ରେ ଏନଡିଏ ସମ୍ମୁଖରେ ବିରୋଧୀ ମେଂଟ ନୂଆ ଆହ୍ୱାନ ସୃଷ୍ଟି କରିପାରେ । ବେଙ୍ଗାଲୁରୁ ବୈଠକରେ ଯଦିଓ ସମସ୍ତ ବିରୋଧୀ ଦଳ ଗୋଟିଏ ମନ ନେଇ କାମ କରିବେ ବୋଲି କହୁଛନ୍ତି କିନ୍ତୁ ନିର୍ବାଚନ ପୂର୍ବରୁ ଆସନ ଭାଂଗବଂଟାବେଳେ ଏହି ଏକତା ସତରେ କାମ ଦେବ ନା ନାହିଁ ସେକଥା ଆଗାମୀ ଦିନରେ ଜଣାପଡିବ ।