ନେତା ନିଲମ୍ବିତ: କଣ ପଡିବ ପ୍ରଭାବ? ସଫଳ ହେବ ତ ମିସନ ୯ ରୁ ୯୦…

125

କନକ ବ୍ୟୁରୋ : ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ଭଳି ବରିଷ୍ଠ ନେତାଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ, ଆରମ୍ଭ ହୋଇଛି ଅଙ୍କକଷା । ଦଳର ବରିଷ୍ଠ ନେତାମାନଙ୍କୁ ବାଦ ଦେଇ କଂଗ୍ରେସ ୨୦୨୪ରେ କେମିତି ମିଶନ ୯ରୁ ୯୦ରେ ସଫଳ କରିବ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଆଉ ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି କଂଗ୍ରେସ ନେତା । କିଏ ସପକ୍ଷରେ ବାହାରୁଛନ୍ତି ଆଉ କିଏ ବିପକ୍ଷରେ ମତ ରଖୁଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ପରେ ଦଳରେ ଶୃଙ୍ଖଳା ବଜାୟ ରହିବ ବୋଲି କିଛି ନେତା କହୁଥିବାବେଳେ ଆଉ କିଛି ନେତା କହିଛନ୍ତି, ଆଲୋଚନା ନକରି ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦଳକୁ ଭାରି ପଡିବ ।

୨୦୧୭ ପରଠାରୁ ରାଜ୍ୟରେ ତୃତୀୟ ସ୍ଥାନକୁ ଚାଲି ଆସିଥିବା କଂଗ୍ରେସ ନିଜର ସ୍ଥିତି ବଜାୟ ରଖିବା ପାଇଁ ସଂଘର୍ଷ କରୁଥିବାବେଳେ, ବରିଷ୍ଠ ନେତାଙ୍କୁ ନିଲମ୍ବନ କରାଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କଟକରେ କଂଗ୍ରେସର ସ୍ଥିତି ଭଲ ଥିବାବେଳେ ବିଧାୟକ ମୋକିମଙ୍କୁ ନିଲମ୍ବନ କରାଯିବା, ଜଗତସିଂହପୁରରେ କଂଗ୍ରେସର ଭୋଟ ହାର ଅଧିକ ଥିବାବେଳେ ଚିରଞ୍ଜୀବଙ୍କୁ ନିଲମ୍ବନ କରାଯିବା ଓ ଜୟପୁରରେ ତାରା ବାହିନୀପତିଙ୍କ ସଂଗଠନ ମଜବୁତ ଥିବାବେଳେ ତାଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲ୍ଲା ସଭାପତି ପଦରୁ ହଟାଯିବା ସନ୍ଦେହକୁ ବଢ଼ାଇ ଦେଇଛି ।

ତେବେ ଏସବୁ ଭିତରେ ଆସନ୍ତା ୨୨ ତାରିଖରେ କଂଗ୍ରେସ ଭବନରେ ବସିବାକୁ ଯାଉଛି ବରିଷ୍ଠ ନେତାଙ୍କ ବୈଠକ । ଏହି ବୈଠକରେ ଦଳର ବରିଷ୍ଠ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ଉଠିବ ବୋଲି ଚର୍ଚ୍ଚା ହେଉଛି । ତେବେ ବୈଠକ ପରେ କଂଗ୍ରେସର ଆଗାମି ରଣନୀତି କଣ ରହୁଛି ତାହା ସ୍ପଷ୍ଟ ହେବ ।