ସାହାରା ସାଜିବ ସାହାରା ଟଙ୍କା। ରିଫଣ୍ଡ ପୋର୍ଟାଲର ଉଦଘାଟନ କଲେ ଗୃହମନ୍ତ୍ରୀ ଅମିତ ଶାହା

278

କନକ ବ୍ୟୁରୋ : ନରେନ୍ଦ୍ର ଦାସ । ଭୁବନେଶ୍ୱରର ଏକ ନମ୍ବର ହାଟରେ ବ୍ୟବସାୟ କରନ୍ତି  । ୬ ଫୁଟରେ ୪ ଫୁଟର ଛୋଟ ଦୋକାନରେ ସେ ଲୁଗା ବ୍ୟବସାୟ କରୁଛନ୍ତି । ପ୍ରତିଦିନର ଉପାର୍ଜନ ଟଙ୍କାରୁ ୨୦୦ ଟଙ୍କା ସାହାରା ଇଣ୍ଡିଆରେ ଜମା କରୁଥିଲେ ନରେନ୍ଦ୍ର । ହିସାବ କଲେ ସାଢେ ୩ ଲକ୍ଷ ଟଙ୍କା ସାହାରାରେ ଜମା କରିଛନ୍ତି । ସବୁତକ ଟଙ୍କା ଦୁଇ ଗୁଣା ହୋଇଯିବ ବୋଲି  ପ୍ରତିଶ୍ରୁତି ଦେଇଥିଲେ ସାହାରା ଏଜେଣ୍ଟ ।  ଦୁଇ ଗୁଣାକୁ ପଚାରେ କିଏ ମୂଳ ଟଙ୍କା ମିଳିବ କି ନାହିଁ ଅନିଶ୍ଚିତତାରେ ଅଛନ୍ତି ନରେନ୍ଦ୍ର । ଝିଅର ବାହା ବୟସ ହେଲାଣି । କିନ୍ତୁ ଝିଅ ବାହା ଦେବାକୁ ପାଖରେ ଟଙ୍କା ନାହିଁ । ସାହାରା ରିଫଣ୍ଡ ପୋର୍ଟାଲ ଆରମ୍ଭ ହେବା ପରେ ପଇସା ମିଳିବ ବୋଲି ଆଶା କରିଛନ୍ତି ନରେନ୍ଦ୍ର । ଜମା କରିଥିବା ପଇସା ମିଳିଲେ ଝିଅକୁ ବାହା କରାଇବେ ବୋଲି କହିଛନ୍ତି ନରେନ୍ଦ୍ର ।

ସାହାରା ଧୋକା ଦେବା ପରେ ବଦଳିଯାଇଛି ଅନେକଙ୍କ ଜୀବନଶୈଳୀ । କିଏ ଝିଅ ବାହା କରାଇ ପାରୁନି ତ ଆଉ କିଏ ପିଲାମାନଙ୍କୁ ଭଲ ଶିକ୍ଷାନୁଷ୍ଠାନରେ ପଠାଇପାରୁନି । ଭୁବନେଶ୍ୱରର ଗଙ୍ଗା ରେଡୀଙ୍କ କାହାଣୀ ବି ଠିକ ସେମିତି । ସାଢେ ୩ ବର୍ଷ ଧରି ପ୍ରତିଦିନ ସାହାରାରେ ୨୦୦ ଟଙ୍କା ଜମା କରୁଥିଲେ ଗଙ୍ଗା । ସୁଧମୂଳ ସହ ଅଢେଇ ଲକ୍ଷ ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ସୁଧ ତ ଦୁରର କଥା ମୂଳ ମିଳିବ କି ନାହିଁ ସେ କଥା ସେ ବି ଜାଣନ୍ତି ନାହିଁ ।  ନରେନ୍ଦ୍ର ଓ ଗଙ୍ଗାଙ୍କ ଭଳି ୨୦ ଲକ୍ଷରୁ ଅଧିକ ଜମାକାରୀ ୧୦ ହଜାର କୋଟି ଟଙ୍କା ସାହାରାରେ ଜମାକରିଛନ୍ତି । ତେବେ ରିଫଣ୍ଡ ପୋର୍ଟାଲ ମାଧ୍ୟମରେ ଜମାକାରୀ  ଟଙ୍କା  ଫେରିପାଇବେ ବୋଲି କେନ୍ଦ୍ର ସରକାର କହୁଥିବାବେଳେ  ଏହା ନିର୍ବାଚନୀ ଚାଲ ବୋଲି କେତେକ କହିଛନ୍ତି ।

କେନ୍ଦ୍ର ସରକାରଙ୍କ କହିବା ଅନୁଯାୟୀ ଏହି ପୋର୍ଟାଲ ଜରିଆରେ  ଜମାକାରୀ ତାଙ୍କ ଟଙ୍କା ଫେରସ୍ତ ପାଇବେ । ତେବେ ଯେଉଁମାନଙ୍କ ମ୍ୟାଚ୍ୟୁରିଟି ହୋଇଥିବ ସେମାନେ ହିଁ ଟଙ୍କା ଫେରିପାଇବେ ।  ଏହି ପୋର୍ଟାଲରେ ଜମାକାରୀ ନିଜ ନାମ ପଞ୍ଜିକରଣ କରିବେ ।  ଯାଂଚ ପରେ ଟଙ୍କା ଫେରିବାର ପ୍ରକ୍ରିୟା ଆରମ୍ଭ ହେବ । ସାହାରାର ଏଜେଂଟମାନେ ୩୦ ଦିନ ଭିତରେ ଜମାକାରୀଙ୍କ କାଗଜ ପତ୍ର ଯାଂଚ କରିବେ । ଅନଲାଇନରେ ଆବେଦନ କରିବା ପରେ ୧୫ ଦିନ ଭିତରେ ଜମାକାରୀ ଏସଏମଏସ ମାଧ୍ୟମରେ ସୂଚନା ପାଇବେ । ଏହାପରେ ଜମାକାରୀଙ୍କ ଆକାଉଣ୍ଟକୁ  ଟଙ୍କା ଆସିଯିବ । ଏହି ପ୍ରକ୍ରିୟା ପାଇଁ ୪୫ ଦିନ ସମୟ ଲାଗିବ ।