ଭୂକମ୍ପରେ ଫାଟିଛି ତୁର୍କୀ ଛାତି । ୨୪ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା, ସହାୟତା କରୁଛି ଭାରତ

116

କନକ ବ୍ୟୁରୋ : କେଉଁଠି ଭଙ୍ଗା କୋଠା ତଳେ ଚାପି ହୋଇଥିବା ଜୀବନ ସାହାର୍ଯ୍ୟ ଅପେକ୍ଷାରେ ଚାହିଁ ରହିଛି ତ, କେଉଁଠି ସବୁଦିନ ପାଇଁ ନୀରବି ଯାଇଛି ନିରୀହ ଜୀବନ । ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପଠୁ ଏହାର ପର ଅବସ୍ଥା ଅଧିକ କଷ୍ଟ ଦେଉଛି । ଏଠାରେ ପ୍ରତି ମୂହୁର୍ତରେ ଚାଲିଛି ମୃତ୍ୟୁ ସହ ସଂଗ୍ରାମ । ଏହି ସମୟରେ ତୁର୍କୀକୁ ସହାୟତର ହାତ ବଢାଇଛି ଭାରତ । ସଙ୍କଟ ସମୟରେ ତୁର୍କୀ ସହ ମଜଭୁତ ଭାବେ ଠିଆ ହୋଇଛି ଭାରତ । ଉଦ୍ଧାର ପାଇଁ ୬ଟି ଯୁଦ୍ଧ ବିମାନ ସହ ଉଦ୍ଧାରକାରୀ ଦଳ ଓ ରିଲିଫ୍ ପଠାଇଛି ଭାରତ । ତୁର୍କୀର ଏ ବିପଦ ବେଳେ ପ୍ରକୃତ ସାଥୀ ଭଳି ପାଖରେ ଛିଡା ହୋଇଛି ଭାରତ । ଭାରତୀୟ ସେନା ଓ ଏନଡିଆରଏଫ ଟିମ୍ ତୁର୍କୀରେ ‘ଅପରେସନ୍ ଦୋସ୍ତ’ ନାଁରେ ଅଭିଯାନ ଆରମ୍ଭ କରିଛି । ଲୋକଙ୍କ ଜୀବନ ବଂଚାଇବାକୁ ଅହରହ ପ୍ରୟାସ ଚଳାଇଛି ଏହି ଟିମ୍ । ଭୂକମ୍ପ ପୀଡିତାଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ସେପଟେ ଏନଡିଆରଏଫ ଟିମରେ ନିୟୋଜିତ ଅଛନ୍ତି ୪ଟି ସନ୍ଧାନୀ କୁକୁରଙ୍କୁ ନେଇ ସ୍ୱାଡ ଟିମ୍ । ଜୁଲି, ରୋମିଓ. ହନି ଓ ରାମ୍ବୋ ନାମକ ୪ଟି ଲାବ୍ରଡର କୁକୁର ନ୍ୟାସନାଲ ଡିଜାଷ୍ଟର ରେସପସନ ଫୋର୍ସରେ ସାମିଲ ହୋଇ ଭଙ୍ଗା କୋଠାତଳୁ ସନ୍ଧାନ ଜାରି ରଖିଛନ୍ତି ।

ସଙ୍କଟ ସମୟରେ କିଏ ବଂଚିବାକୁ ସଂଘର୍ଷ କରୁଛି ତ କିଏ ଖାଦ୍ୟ ପାଇଁ । ତୁର୍କୀରେ ରହୁଥିବା ଭାରତୀୟ ବ୍ୟବସାୟୀ ଦୀପେନ୍ଦ୍ର ସ୍ଥାନୀୟ ଲୋକଙ୍କ ସାହା ଭରସା ପାଲଟିଛନ୍ତି । ୨୪ ଘଂଟା ଭୂକମ୍ପ ପୀଡିତଙ୍କୁ ସହାୟତା ଯୋଗାଉଛନ୍ତି ଦୀପେନ୍ଦ୍ର । ମଧ୍ୟପ୍ରଦେଶର ବୁରହାନାପୁରର ବାସିନ୍ଦା ଦିପେନ୍ଦ୍ର ତୁର୍କୀର କେପୋଡୋକିଆର ସହରରେ ରହୁଥିବାବେଳେ ତାଙ୍କର ଏକ ହୋଟେଲ ଓ ଦୁଇଟି ରେସ୍ତୋରାଁ ଅଛି । ଭୂକମ୍ପ ପୀଡ଼ିତଙ୍କୁ ମାଗଣା ଖାଇବାକୁ ଦେଉଛନ୍ତି ଭାରତୀୟ ଯୁବକ ଦୀପେନ୍ଦ୍ର । ଏହା ସହ ୩୦ ଜଣ ଲୋକ ମଧ୍ୟ ତାଙ୍କ “ନମସ୍ତେ ଇଣ୍ଡିଆ’ ହୋଟେଲରେ ଏବେ ଆଶ୍ରୟ ନେଇଛନ୍ତି । ଭୂକମ୍ପ ହୋଇଥିବା ସ୍ଥାନରୁ ୨୨୦ କିଲୋମିଟର ଦୂରରେ ରହିଛି ଦୀପେନ୍ଦ୍ରଙ୍କ ହୋଟେଲ । କେବଳ ମାଗଣା ଖାଇବା ନୁହେଁ , ଜରୁରୀକାଳୀନ ମେଡ଼ିକାଲ ସେବା ମଧ୍ୟ ଦୀପେନ୍ଦ୍ର ଯୋଗାଇଦେଉଛନ୍ତି ।

ତୁର୍କୀର ଏ ଜଟିଳ ପରିସ୍ଥିତିରେ ଭାରତ ସମେତ ଅନେକ ଦେଶ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଭଙ୍ଗାକୋଠା ତଳୁ ଏବେ ବି ମୃତଦେହ ବାହାର କରାଯାଉଛି । ବତର୍ମାନ ସୁଦ୍ଧା ତୁର୍କୀରେ ୨୪ ହଜାରରୁ ଅଧିକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।